ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ସରକାରଙ୍କ କଡ଼ା ଚେତାବନୀ, ବିମାନ ପରିଚାଳନା ଓ ସୁରକ୍ଷା ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ । ଏୟାର ଇଣ୍ଡିଆ ବିମାନର ପରିଚାଳନାଗତ ତ୍ରୁଟି ଓ କ୍ରମାଗତ ସୁରକ୍ଷା ସମସ୍ୟାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅତ୍ୟନ୍ତ ଗମ୍ଭୀର ଆଭିମୁଖ୍ୟ ଗ୍ରହଣ କରିଛି । ବିମାନ ଚଳାଚଳର ସୁରକ୍ଷା ନିଶ୍ଚିତ କରିବା ଏବଂ କାର୍ଯ୍ୟପ୍ରଣାଳୀ ଉପରେ କଡ଼ା ନଜର ରଖିବା ପାଇଁ ସରକାର ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସହ କଡ଼ା ଚେତାବନୀ ଦେଇଛନ୍ତି । ଏହାସହିତ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟକୁ ଡ୍ରଗ୍-ଟେଷ୍ଟିଂ ନିୟମରେ ତୁରନ୍ତ ସଂଶୋଧନ କରିବା ଏବଂ ବାଧ୍ୟତାମୂଳକ ପରୀକ୍ଷା ପରିସରକୁ ବୃଦ୍ଧି କରିବାକୁ କୁହାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କୋକେନ୍ କିମ୍ବା ଅନ୍ୟାନ୍ୟ ମାରାତ୍ମକ ଡ୍ରଗ୍ସ ଗ୍ରହଣ କରି ଧରାପଡ଼ୁଥିବା କର୍ମଚାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବ । ଗତ ଅଗଷ୍ଟ ୪ ତାରିଖରେ ୧୪୫ ଜଣ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କୁ ନେଇ ଫୁକେଟରୁ ଦିଲ୍ଲୀ ଆସୁଥିବା ଏଆଇ-୨୩୭୯ ବିମାନ ଆକାଶମାର୍ଗରେ ହଠାତ୍ ଜରୁରିକାଳୀନ ପରିସ୍ଥିତିର ସାମ୍ନା କରିଥିଲା । ଏହି ସମୟରେ ବିମାନର ହାଇଡ୍ରୋଲିକ୍ସ ସିଷ୍ଟମ୍, କବାଟ ଏବଂ ଆଲଟିଚ୍ୟୁଡ୍ ନିୟନ୍ତ୍ରଣ କରୁଥିବା ଏଲିଭେଟର କୁ ନେଇ ଏକାଧିକ ଚେତାବନୀ ସିଗନାଲ୍ ମିଳିଥିଲା ଏବଂ ଅଟୋପାଇଲଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ବିମାନଟି ହଠାତ୍ ତଳକୁ ଖସିପଡ଼ିବାରୁ ଅନେକ ଯାତ୍ରୀ ଓ କ୍ରିୟୁ ସଦସ୍ୟ ଆହତ ହୋଇଥିଲେ । ତେବେ କୋ-ପାଇଲଟଙ୍କ ସୂଚନା ଓ ଧୈର୍ଯ୍ୟ ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିଲା ।










