କଳାହାଣ୍ଡି: ବିକାଶର ଦାବି ମଧ୍ୟରେ ଦୁର୍ଗମ ଅଞ୍ଚଳର ଦାରୁଣ ଚିତ୍ର। ଗାଁକୁ ନାହିଁ ପକ୍କା ରାସ୍ତା। ଫଳରେ ମୃତଦେହକୁ ଗାଁକୁ ନେବା ପାଇଁ ପ୍ରାୟ ୮ କିଲୋମିଟର ରାସ୍ତା ଖଟିଆରେ ବୋହିବାକୁ ପଡ଼ିଛି। ଏଭଳି ଏକ ହୃଦୟବିଦାରକ ଦୃଶ୍ୟ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପାଡେପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖମାରପଦର ଗାଁର ଭାଟିପାସ ଅଞ୍ଚଳରୁ ସାମ୍ନାକୁ ଆସିଛି ।ଦୁଇ ପରିବାରର ପେଟକୁ ଦୁଇମୁଠା ଦାନା ଦେବା ଆଶାରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ଶିବ ମାଝୀ। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ଜୀବିତ ଅବସ୍ଥାରେ ଆଉ ଫେରିପାରିଲେ ନାହିଁ। ହାଇଦ୍ରାବାଦରେ ତାଙ୍କର ମୃତ୍ୟୁ ହେବା ପରେ ଶବ ନିଜ ଗାଁକୁ ଫେରିନଥିଲା। ତେବେ ଗାଁକୁ ରାସ୍ତା ନଥିବାରୁ ମୃତଦେହକୁ ଯାନବାହନରେ ନେବା ସମ୍ଭବ ହୋଇନଥିଲା।ଗାଁଠାରୁ ପ୍ରାୟ ୮ କିଲୋମିଟର ଦୂର ଦୁରେସପଦର–ଡୁମୁନିନାଳା ଜଙ୍ଗଲୀ ରାସ୍ତା ଏବେ କାଦୁଅ ରାସ୍ତା ।
ବର୍ଷା ଯୋଗୁଁ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଫଳରେ ରାତିରେ ଶବକୁ ଗାଁକୁ ନିଆଯାଇ ନପାରି ରାସ୍ତାରେ ରଖିବାକୁ ପଡ଼ିଥିଲା। ପରଦିନ ସକାଳେ ଲୋକେ ଖଟିଆରେ ଶବକୁ ବୋହି ପ୍ରାୟ ୮ କିଲୋମିଟର ଦୂର ଗାଁକୁ ନେଇଥିଲେ।ଜୀବିତ ଥିବାବେଳେ ଯେଉଁ ରାସ୍ତା ଶିବଙ୍କୁ ଦାଦନ ଖଟିବା ପାଇଁ ଘରୁ ବାହାରିବାରେ ବାଧା ଦେଇପାରିଲା ନାହିଁ, ସେହି ରାସ୍ତା ମୃତ୍ୟୁ ପରେ ତାଙ୍କ ଶବକୁ ମଧ୍ୟ ନିଜ ଘର ମାଟି ପର୍ଯ୍ୟନ୍ତ ପହଞ୍ଚିବାକୁ ଦେଲାନି।ଶିବଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କ ମୃତ୍ୟୁ ପରେ ପରିବାର ଉପରେ ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼। ଶିବ ଥିଲେ ଦୁଇ ପରିବାରର ଏକମାତ୍ର ରୋଜଗାରିଆ ପୁଅ । ତାଙ୍କ ମୃତ୍ୟୁ ପରେ ବୃଦ୍ଧା ମା’ ଓ ପରିବାର ସଦସ୍ୟମାନେ ଅସହାୟ ହୋଇପଡ଼ିଛନ୍ତି।ଗାଁରେ ନାହିଁ ଭଲ ରାସ୍ତା, ନାହିଁ ମୌଳିକ ସୁବିଧା। ଏପରିକି ଜଣେ ମଣିଷର ମୃତଦେହକୁ ମଧ୍ୟ ତାଙ୍କ ନିଜ ଗାଁକୁ ନେବା ପାଇଁ ଖଟିଆର ଆଶ୍ରୟ ନେବାକୁ ପଡ଼ୁଛି। ଏହି ଦୃଶ୍ୟ ଦୁର୍ଗମ ଥୁଆମୂଳ ରାମପୁର ଅଞ୍ଚଳର ଯାତାୟାତ ବ୍ୟବସ୍ଥାର ଦୁରବସ୍ଥାକୁ ପଦାରେ ପକାଇଛି।ଗାଁକୁ ରାସ୍ତା କେବେ ହେବ? ଆଉ କେତେ ଦିନ ଲୋକଙ୍କୁ ଜୀବନ୍ତ ଥିବାବେଳେ ଦୁର୍ଗମତାର ଯନ୍ତ୍ରଣା ଓ ମୃତ୍ୟୁ ପରେ ଖଟିଆର ଯନ୍ତ୍ରଣା ଭୋଗିବାକୁ ପଡ଼ିବ? ଶିବଙ୍କ ଶବକୁ ୮ କିଲୋମିଟର ଖଟିଆରେ ବୋହି ନେବାର ଏହି ଦାରୁଣ ଚିତ୍ର ପ୍ରଶାସନର ବିକାଶ ଦାବି ଉପରେ ବଡ଼ ପ୍ରଶ୍ନଚିହ୍ନ ଠିଆ କରିଛି।










