ନୂଆଦିଲ୍ଲୀ : ଲଗାଣ ବର୍ଷା, ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ହିମାଚଳ ପ୍ରଦେଶର ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି । ଜୁନ୍ ୩୦ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାଜନିତ ଘଟଣା ଓ ସଡ଼କ ଦୁର୍ଘଟଣାରେ ୧୫୭ ଜଣଙ୍କ ମୃତ୍ୟୁ ହୋଇଛି ।ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟରର ରିପୋର୍ଟ ଅନୁସାରେ, ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ୬୮ ଜଣ ପ୍ରାଣ ହରାଇଛନ୍ତି । ଏହାସହ ସଡ଼କ ଦୁର୍ଘଟଣାରେ ଆଉ ୮୯ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୫୭ ଜଣ ନିଖୋଜ ଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।ଭୂସ୍ଖଳନ ଯୋଗୁଁ ରାଜ୍ୟର ପ୍ରାୟ ୨୫୯ଟି ରାସ୍ତାରେ ଯାତାୟାତ ଠପ୍ ହୋଇଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ମଣ୍ଡି-କୁଲ୍ଲୁ ରାଜପଥ ମଧ୍ୟ ରହିଛି। ମଣ୍ଡିରେ ୧୨୦, ଚମ୍ବାରେ ୪୨, କୁଲ୍ଲୁରେ ୪୦ ଏବଂ ଶିମଲାରେ ୩୦ଟି ରାସ୍ତା ବନ୍ଦ ରହିଛି ।ଲଗାଣ ବର୍ଷାରେ ପ୍ରାୟ ୯୦୦ଟି ଘର, ସରକାରୀ ସମ୍ପତ୍ତି ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇ ଛି। ମୋଟ କ୍ଷୟକ୍ଷତି ପ୍ରାୟ ୮୮୬ କୋଟି ଟଙ୍କା ଆକଳନ କରାଯାଇଛି ।ବିଦ୍ୟୁତ୍ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ୧୬୧ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର୍ ଅଚଳ ହୋଇଥିବା ବେଳେ ମଣ୍ଡିରେ ୭୭ଟି, ଶିମଲାରେ ୪୩ଟି ଓ କୁଲ୍ଲୁରେ ୪୦ଟି ଟ୍ରାନ୍ସଫର୍ମର୍ ପ୍ରଭାବିତ ହୋଇଛି ।ସ୍ଥିତି ଏବେ ବି ଚିନ୍ତାଜନକ । ଭାରତୀୟ ପାଣିପାଗ ବିଭାଗ କାଙ୍ଗଡ଼ା, ମଣ୍ଡି, ହମିରପୁର, ଶିମଲା ଓ ସିରମୌରରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରିଛି । ଚମ୍ବା, କୁଲ୍ଲୁ, ସୋଲନ ଓ ବିଲାସପୁରରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ଫଳରେ ଭିତ୍ତିଭୂମି ପୁନରୁଦ୍ଧାର ସହ ଆଗକୁ ଆସୁଥିବା ବର୍ଷାକୁ ମୁକାବିଲା କରିବା ହିମାଚଳ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।










