ଭୁବନେଶ୍ୱର : ରାଜ୍ୟରେ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ରାଜନୈତିକ ବାକଯୁଦ୍ଧ ଏବେ ତୀବ୍ର ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ଜେନ୍-ଜି’ ଏବଂ ବିଦେଶୀ ଶକ୍ତି ସମ୍ପର୍କିତ ମନ୍ତବ୍ୟ ଉପରେ ପାଲଟା ଆକ୍ରମଣ କରିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ସେ ସରକାରଙ୍କୁ ଘେରିବା ସହ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି । ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କ କାର୍ଯ୍ୟଧାରା ବିଚିତ୍ର । ସରକାରଙ୍କ ବିରୋଧରେ ଯିଏ ବି ସ୍ୱର ଉତ୍ତୋଳନ କରୁଛି କିମ୍ବା ସତ କଥା କହୁଛି, ତାଙ୍କୁ ବାହ୍ୟ ଶକ୍ତି ଦ୍ୱାରା ପ୍ରଭାବିତ କିମ୍ବା ଦେଶ ବିରୋଧୀ ବୋଲି ଆଖ୍ୟା ଦିଆଯାଉଛି । ଏଭଳି ମନ୍ତବ୍ୟ ଦେଇ ସରକାର ନିଜର ବିଫଳତାକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ବିଜେପି ମିଛ କହି ଶାସନ ଗାଦିକୁ ଆସିଛି । ଏବେ ସରକାର ଚଳାଇବା ପରେ ଦେଶର ଯୁବପିଢ଼ି ବା ‘ଜେନ୍-ଜି’ଙ୍କୁ ମଧ୍ୟ ଭୁଆଁ ବୁଲାଉଛନ୍ତି । ପ୍ରତିଶ୍ରୁତି ପୂରଣ କରିବା ପରିବର୍ତ୍ତେ ଯୁବବର୍ଗଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଅଭିଯାନର ଆଳ ଦେଖାଯାଉଛି । ନିଟ୍ (NEET) ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରମିଳା କହିଛନ୍ତି ଯେ, ଏହି ପ୍ରସଙ୍ଗରେ ସରକାର ଆଗରୁ ହିଁ ବଦନାମ ହୋଇସାରିଛନ୍ତି । ଯେଉଁମାନେ ନିଜ କର୍ମ ପାଇଁ ସାରା ଦେଶରେ ବଦନାମ, ସେମାନଙ୍କୁ ଅଧିକ ବଦନାମ କରିବା ପାଇଁ ଅନ୍ୟ କୌଣସି ନେତା ବା ବିରୋଧୀଙ୍କ ଆବଶ୍ୟକତା ନାହିଁ । ନିଜର ଅପାରଗତା ଯୋଗୁଁ ସରକାର ଆଜି ଲୋକଙ୍କ ଆଗରେ ହସ୍ୟାସ୍ପଦ ହୋଇଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।










