ପୁରୀ: ଶ୍ରୀକ୍ଷେତ୍ର ବୁଲିବାକୁ ଆସି ଅଘଟଣର ଶିକାର ହୋଇଛନ୍ତି। ପୁରୀ ସହରରେ ଥିବା ଶ୍ୱେତଗଙ୍ଗା ପୁଷ୍କରିଣୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ଭୁବନେଶ୍ୱର ସତ୍ୟଭାମାପୁରର ସମ୍ବିତ ପ୍ରଧାନ। ଆଜି ସାଙ୍ଗ ମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ ସମ୍ବିତ। ମହାପ୍ରଭୁଙ୍କ ଦର୍ଶନ ସାରି ୫ ଜଣ ସାଙ୍ଗଙ୍କ ସହ ଶ୍ୱେତଗଙ୍ଗାରେ ସ୍ନାନ କରୁଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ସ୍ନାନ କରୁକରୁ ହଠାତ୍ ସମ୍ବିତ ଗଭୀର ପାଣିକୁ ଚାଲିଯାଇଥିଲେ। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରିନଥିଲେ।
ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖୁସିରେ ବୁଲିବାକୁ ଆସିଥିବା ୬ ଜଣ ସାଙ୍ଗଙ୍କ ମଧ୍ୟରୁ ଜଣଙ୍କ ପାଇଁ ଯମ ଛକି ରହିଥିଲା ଶ୍ୱେତଗଙ୍ଗାରେ। ଏହି ଦୁଃଖଦ ଖବର ପରେ ସାଙ୍ଗ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।










