ନୂଆଦିଲ୍ଲୀ: ୟୁପିଆଇ କାରବାର ଉପରେ ଶୁଳ୍କ ଲଗାଇବା ସଂକ୍ରାନ୍ତ ବିଲ୍ ଲୋକସଭାରେ ଗୃହୀତ ହେବା ପରେ ଲୋକଙ୍କୁ ପେମେଣ୍ଟ ବେଳେ ଶୁଳ୍କ ଦେବାକୁ ପଡ଼ିବ ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ସେଭଳି ଆଶଙ୍କା ପ୍ରକଟ କରିଛନ୍ତି। ତେବେ ଏଭଳି ଆଶଙ୍କାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମ୍ଡିଆର୍) ବିଷୟରେ ଚର୍ଚ୍ଚା ହେଉଛି ତାହା ବ୍ୟବସାୟୀଙ୍କୁ ଦେବାକୁ ପଡ଼ିବ, ଗ୍ରାହକଙ୍କୁ ନୁହେଁ।ଜୟରାମ ରମେଶଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ଉତ୍ତର ଦେଇ ସୀତାରମଣ କହିଛନ୍ତି ଯେ ଏମ୍ଡିଆର୍ ଶୁଳ୍କ କେବଳ ବ୍ୟବସାୟୀଙ୍କ ଉପରେ ଲାଗିଥାଏ। ବ୍ୟବହାରକାରୀ କିମ୍ବା ଗ୍ରାହକଙ୍କ ଉପରେ ଲଗାଯାଏ ନାହିଁ। ଡିଜିଟାଲ ପେମେଣ୍ଟ ଭିତ୍ତିଭୂମି, ନବସୃଜନ ଓ ନିରାପତ୍ତାରେ ବ୍ୟାଙ୍କ ଓ ଫିନ୍ଟେକ୍ ସଂସ୍ଥାଗୁଡ଼ିକ ନିବେଶ କରିବା ପାଇଁ ଆବଶ୍ୟକ ପାଣ୍ଠି ଯୋଗାଡ଼ କରିବାରେ ତାହା ସହାୟକ ହେବ। ସେହି ନିବେଶର ଲାଭ ସମସ୍ତ ୟୁପିଆଇ ବ୍ୟବହାରକାରୀମାନଙ୍କୁ ମିଳିବ। ତେଣୁ କିଛି ପ୍ରଚାର କରିବା ପୂର୍ବରୁ ଏକଥା ଜାଣିନିଅନ୍ତୁ ବୋଲି ରମେଶଙ୍କୁ ସୀତାରମଣ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ । ଏହି ବିଲ୍ ସଂସଦରେ ପାସ୍ ହେବା ପରେ ଶୁଳ୍କ ସମ୍ପର୍କରେ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ବିଚାର କରିବ।










