ଭୁବନେଶ୍ୱର : ରାଜ୍ୟରେ ପୁଣି ସକ୍ରିୟ ହୋଇଛି ବର୍ଷା । ଅନେକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ସାରା ଓଡ଼ିଶା ପାଇଁ ସତର୍କତା ଜାରି କରାଯାଇଛି । ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ଏହାସହ ରାଜ୍ୟର ଅନ୍ୟ ୨୮ଟି ଜିଲ୍ଲାକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି ।ରାଜଧାନୀ ଭୁବନେଶ୍ୱରରେ ବର୍ଷାର ପ୍ରଭାବ ସବୁଠାରୁ ଅଧିକ ଦେଖାଦେଇଛି । ସକାଳ ସାଢ଼େ ୫ଟା ସୁଦ୍ଧା ସହରରେ ୯୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅତ୍ୟଧିକ ବର୍ଷା ଯୋଗୁଁ ମଧୁସୂଦନ ନଗର, ନୟାପଲ୍ଲୀ, ଏୟାରପୋର୍ଟ, ଜଗମୋହନ ନଗର ଓ ଲକ୍ଷ୍ମୀ ସାଗର ଭଳି ଅଞ୍ଚଳରେ ପାଣି ଜମି ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି ।ମଧୁସୂଦନ ନଗରରେ ୧୦୭ ମିମି, ନୟାପଲ୍ଲୀ ଓ ଏୟାରପୋର୍ଟରେ ୯୭.୨ ମିମି, ଜଗମୋହନ ନଗରରେ ୯୦.୪ ମିମି ଏବଂ ଲକ୍ଷ୍ମୀ ସାଗରରେ ୮୩.୨ ମିମି ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା ଦୃଷ୍ଟିରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।










