କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧୀନ ବଡକର୍ଲାକୋଟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଡେପୁଟେସନ୍କୁ ନେଇ ବିରୋଧ ଦେଖାଦେଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟିଜିଟି ସାଇନ୍ସ ଅବିରାମ ଭୋଇ ଓ ଟିଜିଟି ଆର୍ଟ କୃଷ୍ଣଚନ୍ଦ୍ର କୁମାରଙ୍କୁ ଅନ୍ୟତ୍ର ଡେପୁଟେସନ୍ରେ ପଠାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି (ଏସ୍ଏମ୍ସି) ଏହାକୁ ବିରୋଧ କରିଛନ୍ତି ।
ଦୁଇ ଶିକ୍ଷକଙ୍କ ଡେପୁଟେସନ୍ ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ବ୍ୟାହତ ହେବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଏସ୍ଏମ୍ସି ସଦସ୍ୟ । ପୂର୍ବରୁ ମଧ୍ୟ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍ରେ ପଠାଯାଇଥିବା ଅଭିଯୋଗ ରହିଛି ।ବଡକର୍ଲାକୋଟ ପିଏମ୍ ଶ୍ରୀ ସ୍କୁଲରେ ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୦୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ତେଣୁ ତୁରନ୍ତ ଡେପୁଟେସନ୍ ଆଦେଶ ବାତିଲ କରି ଶିକ୍ଷକମାନଙ୍କୁ ଫେରାଇ ଆଣିବାକୁ ଦାବି କରାଯାଇଛି । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି । ଏବେ ଶିକ୍ଷା ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି ।










