ବନ୍ୟା ଅଞ୍ଚଳରେ ରିଲିଫ ତଦାରଖ ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରସଙ୍ଗ
ବନ୍ୟା ସମୟରେ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ଦିଲ୍ଲୀରେ ଉପସ୍ଥିତ ଥିଲେ
ପ୍ରଶାସନିକ ତତ୍ପରତା ଥିଲେ, ସାତ ଜଣଙ୍କ ମୃତ୍ୟୁ ହୋଇ ନଥାନ୍ତା
ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ରିଲିଫ ପ୍ରଦାନ କାମକୁ ତଦାରଖ କରିବା ଲାଗି ରାଜ୍ୟ ସରକାର ମନ୍ତ୍ରୀ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ବନ୍ୟା ପରିସ୍ଥିତି ଗୁରୁତର ହୋଇଛି ରାଜ୍ୟ ସରକାର ବିଳମ୍ବରେ ଅନୁଭବ କରିଛନ୍ତି ବୋଲି ବିଜୁ ଜନତା ଦଳ କହିଛି। ବନ୍ୟା ପରିସ୍ଥିତି ସଂଗୀନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଦିଲ୍ଲୀରେ ରହିଥିଲେ, ଯାହା ଫଳରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସହଯୋଗ କରିବା ପାଇଁ ପ୍ରଶାସନିକ ତତ୍ପରତା ଦେଖା ଯାଇ ନଥିଲା।
ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ, ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଥିବା ନେଇ ବିଜେଡି ତରଫରୁ ବାରମ୍ବାର କୁହା ଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତତ୍ପରତା ଦେଖିବାକୁ ମିଳି ନଥିଲା। ଏହି କାରଣରୁ, ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବନ୍ୟାର ପ୍ରକୋପରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୮୦ ଗୃହପାଳିତ ପଶୁ ମୃତ୍ୟୁ ବରଣ କରିଥିଲେ ଓ ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଥିଲା। ବନ୍ୟାରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଉବୁଟୁବୁ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତାମାନେ ଦିଲ୍ଲୀରେ ଥିଲେ। ବିଜେଡି ସମେତ ଅନ୍ୟ ବିରୋଧୀ ଦଳ ମାନେ ବାରମ୍ବାର ବନ୍ୟା ସ୍ଥିତ ସଙ୍ଗୀନ ହୋଇଥିବା କହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ୍ରା ଭଙ୍ଗ ହୋଇ ନଥିଲା। ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ବନ୍ୟା ସ୍ଥିତି ସଙ୍ଗୀନ ଥିବା ଅନୁଭବ କରି ସେ କିଛି ମନ୍ତ୍ରୀ ମାନଙ୍କୁ ବନ୍ୟାଞ୍ଚଳ ଗୁଡ଼ିକରେ ତଦାରଖ ପାଇଁ ଦାୟିତ୍ୱ ଦେଇଛନ୍ତି। ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ପୂର୍ବରୁ ପ୍ରଶାସନିକ ତତ୍ପରତା ଦେଖାଇଥିଲେ, ବନ୍ୟାରେ ୭ ଜଣ ଲୋକ ମୃତ୍ୟୁ ବରଣ କରିନଥାନ୍ତେ। ବନ୍ୟା ପରିସ୍ଥିତିରେ ଲୋକଙ୍କ ସହିତ ଛିଡା ନହୋଇ ଦିଲ୍ଲୀରେ ରହିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି।










