୨୦୨୬ ଜୁନ୍ ୨୮ ତାରିଖରେ ‘ମନ୍ କି ବାତ୍’ର ୧୩୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷା ଜଳର ପ୍ରତ୍ୟେକ ବୁନ୍ଦାକୁ ସଂରକ୍ଷିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଆହ୍ୱାନ ପରେ, ଓଡ଼ିଶା ‘କ୍ୟାଚ୍ ଦି ରେନ୍ ୨୦୨୬’ ଅଭିଯାନ ଅଧୀନରେ ନିଜର ପ୍ରଚେଷ୍ଟାକୁ ଆହୁରି ତ୍ୱରାନ୍ୱିତ କରିଛି। ଜନସଚେତନତାକୁ ପ୍ରତ୍ୟକ୍ଷ ଜଳ ସଂରକ୍ଷଣ ଫଳାଫଳରେ ପରିଣତ କରିବା ସହ ବର୍ଷା ଜଳ ଅମଳ, ଭୂତଳ ଜଳ ପୁନରୁଦ୍ଧାର, ପାରମ୍ପରିକ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ସାଧାରଣ ନାଗରିକଙ୍କ ସକ୍ରିୟ ଭାଗିଦାରୀକୁ ବୃଦ୍ଧି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଜଳଦୂତମାନଙ୍କର ଏକ ନୂତନ ପିଢ଼ି ଗଠନ
ଓଡ଼ିଶା ଏକ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରିଛି, ଯେଉଁଥିରେ ସାମୁଦାୟିକ ସମ୍ପର୍କ, ବ୍ୟବହାରିକ ପରିବର୍ତ୍ତନ, ସଂସ୍ଥାଗତ ଭାଗିଦାରୀ ଏବଂ ଜଳ ସଂରକ୍ଷଣ ସମ୍ପତ୍ତି ସୃଷ୍ଟିର ମିଶ୍ରଣ ରହିଛି। ପଥପ୍ରାନ୍ତ ନାଟକ, ଲୋକକଳା ପ୍ରଦର୍ଶନ, ଗୋଷ୍ଠୀଗତ ସହଭାଗିତା କାର୍ଯ୍ୟକ୍ରମ ଏବଂ ବର୍ଷା ଜଳ ଅମଳ ଓ ଭୂତଳ ଜଳ ସଂରକ୍ଷଣ ସମ୍ପର୍କିତ ସଚେତନତା ଅଭିଯାନ ସମେତ ୯୬୮ଟି ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) କାର୍ଯ୍ୟକ୍ରମ ମାଧ୍ୟମରେ ସାରା ରାଜ୍ୟରେ ଏକ ବ୍ୟାପକ ଜନସଚେତନତା ଅଭିଯାନ ହାତକୁ ନିଆଯାଇଥିଲା।
ଏହି କାର୍ଯ୍ୟକ୍ରମଗୁଡ଼ିକ ଏକାଧିକ ଜିଲ୍ଲାରେ ପରିଚାଳିତ ହୋଇଥିଲା, ଯେଉଁଥିରେ ଖୋର୍ଦ୍ଧାରେ ସର୍ବାଧିକ ୨୩୦ଟି ଆଇଇସି କାର୍ଯ୍ୟକ୍ରମ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୧୨୪ଟି; କଟକ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର ଏବଂ ସୁବର୍ଣ୍ଣପୁରରେ ୬୨ଟି ଲେଖାଏଁ; ମୟୂରଭଞ୍ଜରେ ୬୦ଟି; ନୟାଗଡ଼ ଏବଂ ପୁରୀରେ ୫୦ଟି ଲେଖାଏଁ; ଏବଂ ଗଞ୍ଜାମରେ ୨୦ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହା ସାରା ଓଡ଼ିଶାରେ ଏହି ଅଭିଯାନର ବ୍ୟାପକ ପହଞ୍ଚ ଏବଂ ପ୍ରବଳ ଜନଭାଗିଦାରୀକୁ ଦର୍ଶାଉଛି।
ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବରେ ଉଭା ହୋଇଛନ୍ତି। ସଚେତନତା କାର୍ଯ୍ୟକ୍ରମ, ଓରିଏଣ୍ଟେସନ୍ ସେସନ୍ ଏବଂ ବୈଷୟିକ ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଭୂତଳ ଜଳ ବିଜ୍ଞାନ, ଜଳଚକ୍ର ପ୍ରକ୍ରିୟା ଏବଂ ବର୍ଷା ଜଳ ଅମଳ ପ୍ରଣାଳୀ ସହିତ ପରିଚିତ କରାଯାଇଛି। ଏହି ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଏପରି ସଚେତନ ନାଗରିକ ତିଆରି କରିବା, ଯେଉଁମାନେ ନିଜ ନିଜ ଅଂଚଳରେ ଜଳ ସଂରକ୍ଷଣର ବାର୍ତ୍ତା ପ୍ରଚାର କରିପାରିବେ ଏବଂ ସ୍ଥାୟୀ ବ୍ୟବହାରିକ ପରିବର୍ତ୍ତନରେ ଯୋଗଦାନ ଦେଇପାରିବେ।
ସଚେତନତାକୁ କାର୍ଯ୍ୟରେ ରୂପାନ୍ତରିତ କରିବା
ସଚେତନତା ସୃଷ୍ଟି ସହିତ ସାରା ରାଜ୍ୟରେ ୯୦୫ଟି ବର୍ଷା ଜଳ ଅମଳ ଏବଂ ଭୂତଳ ଜଳ-ପୁନଃଭରଣ ପ୍ରକଳ୍ପ/ସଂରଚନା ସମ୍ପୂର୍ଣ୍ଣ ହୋଇଛି। ଏଥିମଧ୍ୟରେ ୮୪୯ଟି ଛାତ ଉପର ବର୍ଷା ଜଳ ଅମଳ ସଂରଚନା ରହିଛି, ଯାହା ମଧ୍ୟରୁ ୨୧ଟି ସରକାରୀ ଭବନରେ ଏବଂ ୮୨୮ଟି ବେସରକାରୀ ଭବନରେ ନିର୍ମିତ ହୋଇଛି। ଏହା ସହିତ ଭୂତଳ ଜଳ ସ୍ତର ବୃଦ୍ଧି ପାଇଁ ୫୬ଟି ରିଚାର୍ଜ ଶାଫ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି।
ଜିଲ୍ଲାୱାରୀ ସଫଳତା ମଧ୍ୟରେ ଗଞ୍ଜାମରେ ୩୩୦ଟି, ଖୋର୍ଦ୍ଧାରେ ୧୨୧ଟି, ମୟୂରଭଞ୍ଜରେ ୯୪ଟି, କଟକରେ ୬୨ଟି, ସମ୍ବଲପୁରରେ ୫୪ଟି, ସୁନ୍ଦରଗଡ଼ରେ ୫୩ଟି, କେନ୍ଦ୍ରାପଡ଼ାରେ ୪୮ଟି, ଝାରସୁଗୁଡ଼ାରେ ୨୫ଟି, ବରଗଡ଼ରେ ୧୬ଟି, ପୁରୀରେ ୧୩ଟି, ନୟାଗଡ଼ରେ ୧୨ଟି, ଅନୁଗୁଳରେ ୧୦ଟି, ନବରଙ୍ଗପୁରରେ ୭ଟି ଏବଂ ବଲାଙ୍ଗୀରରେ ୪ଟି ଛାତ ଉପର ବର୍ଷା ଜଳ ଅମଳ ସରଞ୍ଚନା ରହିଛି। ଏହା ବ୍ୟତୀତ ‘କ୍ୟାଚ୍ ଦି ରେନ୍ ୨୦୨୬’ ଅଭିଯାନ ଅଧୀନରେ ଭୂତଳ ଜଳ ପୁନଃଭରଣ ପ୍ରଚେଷ୍ଟାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଯାଜପୁରରେ ୪୫ଟି, କେନ୍ଦ୍ରାପଡ଼ାରେ ୧୦ଟି ଏବଂ ସୁନ୍ଦରଗଡ଼ରେ ୧ଟି ରିଚାର୍ଜ ଶାଫ୍ଟ ନିର୍ମାଣ କରାଯାଇଛି।
ଏହି ଆକଳନଗୁଡ଼ିକର ଗୁରୁତ୍ୱ କେବଳ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପଗୁଡ଼ିକର ସଂଖ୍ୟାରେ ସୀମିତ ନାହିଁ। ଏହା ସଚେତନତାରୁ ଗ୍ରହଣୀୟତା/ଆପଣେଇବା ଆଡ଼କୁ ଏକ ସଂକ୍ରମଣକୁ ଦର୍ଶାଉଛି। ବର୍ଷା ଜଳ ଅମଳ ପ୍ରଣାଳୀ ସ୍ଥାପନ କରୁଥିବା ପ୍ରତ୍ୟେକ ପରିବାର ସ୍ଥାନୀୟ ଜଳ ପରିଚାଳନାରେ ଜଣେ ଜଣେ ଭାଗୀଦାର ପାଲଟିଥାନ୍ତି।
ଏକ ରିଚାର୍ଜ ସାଫ୍ଟ ଭୂପୃଷ୍ଠର ବର୍ଷା ଜଳ ଏବଂ ଭୂତଳ ଜଳ ମଧ୍ୟରେ ଏକ ସଂଯୋଗ ସୃଷ୍ଟି କରିଥାଏ। ମିଳିତ ଭାବରେ, ଏପରି ପଦକ୍ଷେପଗୁଡ଼ିକ ଭୂତଳ ଜଳ ଅଭାବ ବୃଦ୍ଧି ପାଉଥିବା ଅଞ୍ଚଳଗୁଡ଼ିକରେ ଜଳସେଚନ ଏବଂ ସ୍ଥାନୀୟ ଜଳର ଉପଲବ୍ଧତାକୁ ସୁଦୃଢ଼ କରିପାରିବ।
ପାରମ୍ପରିକ ଜଳାଶୟର ପୁନରୁଦ୍ଧାର
ନୂତନ ଭୂତଳ ଜଳ-ପୁନର୍ଭରଣ ଭିତ୍ତିଭୂମି ସୃଷ୍ଟି କରିବା ସହିତ ଓଡ଼ିଶା ପାରମ୍ପରିକ ଜଳାଶୟଗୁଡ଼ିକର ପୁନରୁଦ୍ଧାରକୁ ପ୍ରାଥମିକତା ଦେଇଛି। ରାଜ୍ୟ ଯୋଜନାର ‘ପୋଖରୀ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତୀକରଣ’ ଯୋଜନା ଅଧୀନରେ ସମସ୍ତ ୩୦ଟି ଜିଲ୍ଲାର ୯୮ଟି ପୋଖରୀ/ଜଳାଶୟର ସଂସ୍କାର ଏବଂ ପଙ୍କ ଉଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି।
ଏହି ଜଳାଶୟଗୁଡ଼ିକର ପୁନରୁଦ୍ଧାର ସେଗୁଡ଼ିକର ଜଳ ଧାରଣ କ୍ଷମତା ବୃଦ୍ଧି କରୁଛି; ଯାହା ମୌସୁମୀ ବର୍ଷା ଜଳକୁ ଅଧିକ ପରିମାଣରେ ଧରିରଖିବାରେ, ଜଳସେଚନରେ ସହାୟତା କରିବାରେ, ସ୍ଥାନୀୟ ଜଳର ଉପଲବ୍ଧତା ବୃଦ୍ଧି କରିବାରେ ଏବଂ ଭୂତଳ ଜଳ ପୁନର୍ଭରଣରେ ଯୋଗଦାନ ଦେଉଛି। ଏହି ପଦକ୍ଷେପ ଗ୍ରାମାଞ୍ଚଳର ଜଳ ସୁରକ୍ଷା ଏବଂ ଜଳବାୟୁ ସହନଶୀଳତାକୁ ସୁଦୃଢ଼ କରିବାରେ ପାରମ୍ପରିକ ଜଳ ସମ୍ପଦର ଭୂମିକାକୁ ଅଧିକ ବଳିଷ୍ଠ କରୁଛି।
ଜଳ ନିରାପତ୍ତା ବ୍ୟବସ୍ଥାର ସୁଦୃଢ଼ୀକରଣ
ଜଳସେଚନ ପ୍ରକଳ୍ପ, ଭୂତଳ ଜଳ କାର୍ଯ୍ୟାଳୟ ଏବଂ ଜଳ ଭିତ୍ତିଭୂମି ସ୍ଥଳଗୁଡ଼ିକରେ କରାଯାଉଥିବା ବୃକ୍ଷରୋପଣ ଅଭିଯାନ ମୃତ୍ତିକା ସ୍ଥିରତା ଆଣିବା, ମୃତ୍ତିକା କ୍ଷୟ ହ୍ରାସ କରିବା, ଜଳର ଭୂତଳ ପ୍ରବେଶ ପ୍ରକ୍ରିୟାକୁ ବୃଦ୍ଧି କରିବା ଏବଂ ସୁଦୃଢ ଅବବାହିକା ବ୍ୟବସ୍ଥାକୁ ସହାୟତା କରି ଜଳ ସଂରକ୍ଷଣ ପ୍ରଚେଷ୍ଟାକୁ ପରିପୂର୍ଣ୍ଣ କରୁଛି। ଏହି ପଦକ୍ଷେପଗୁଡ଼ିକ ଜଳବାୟୁ ପରିବର୍ତ୍ତନର ଆହ୍ୱାନଗୁଡ଼ିକୁ ସାମ୍ନା କରିବାର କ୍ଷମତାକୁ ବୃଦ୍ଧି କରିବା ସହ ଜଳସମ୍ପଦର ଦୀର୍ଘକାଳୀନ ସ୍ଥାୟୀତ୍ୱରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି।
ଜଳ ସୁରକ୍ଷା ପାଇଁ ଏକ ଗଣଆନ୍ଦୋଳନ
ଓଡ଼ିଶାର ‘କ୍ୟାଚ୍ ଦି ରେନ୍’ (ବୃଷ୍ଟିଜଳ ସଂଗ୍ରହ) ଅଭିଯାନ ପ୍ରଦର୍ଶିତ କରେ ଯେ ଜନସାଧାରଣଙ୍କ ସହଭାଗିତା କିପରି ଜଳ ସଂରକ୍ଷଣର ପରିଣାମକୁ ତ୍ବରାନ୍ବିତ କରିପାରିବ। ସଚେତନତା ସୃଷ୍ଟି, ବ୍ୟବହାରିକ ପରିବର୍ତ୍ତନ, ସଂସ୍ଥାଗତ ସହଭାଗିତା, ପାରମ୍ପରିକ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ଭୂତଳ ଜଳ-ପୁନଃଭରଣ ଭିତ୍ତିଭୂମି ସୃଷ୍ଟିର ସମାବେଶ ମାଧ୍ୟମରେ ରାଜ୍ୟ ଏକ ସ୍ଥାୟୀ ଜଳ ପରିଚାଳନା ପାଇଁ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରୁଛି।
ଏହି ଅଭିଯାନ ଜାରି ରହିବା ସହିତ, ଓଡ଼ିଶା ଏହି ନୀତିକୁ ଅଧିକ ସୁଦୃଢ଼ କରୁଛି ଯେ ଯେତେବେଳେ ନାଗରିକମାନେ ନିଜ ନିଜ ଅଞ୍ଚଳରେ ପଡ଼ୁଥିବା ବର୍ଷା ଜଳର ସଂରକ୍ଷଣ, ଅମଳ ଏବଂ ପୁନଃଭରଣରେ ସକ୍ରିୟ ଭାଗିଦାର ହୁଅନ୍ତି, ସେତେବେଳେ ଜଳ ସୁରକ୍ଷା ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ। ଏହି ପଦକ୍ଷେପ ‘କ୍ୟାଚ୍ ଦି ରେନ୍’ର ବ୍ୟାପକ ଉଦ୍ଦେଶ୍ୟକୁ ପ୍ରତିଫଳିତ କରେ – ଋତୁକାଳୀନ ବର୍ଷା ଜଳକୁ ସ୍ଥାୟୀ ବିକାଶ ଏବଂ ଜଳ ସୁରକ୍ଷା ପାଇଁ ଏକ ଦୀର୍ଘକାଳୀନ ସମ୍ବଳରେ ରୂପାନ୍ତରିତ କରିବା।










