ନୂଆଦିଲ୍ଲୀ: ଅଗଷ୍ଟ ମାସର ପ୍ରଥମ ଦିନରେ ଏକ ଖୁସି ଖବର ଆସିଛି । ଦେଶର ସରକାରୀ ତେଲ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୦୯ ଟଙ୍କା ଯାଏଁ ହ୍ରାସ କରିଛନ୍ତି । ଏହି ହ୍ରାସ ପରେ କୋଲକାତାରେ ଏହାର ମୂଲ୍ୟ ବର୍ତ୍ତମାନ ୨ ହଜାର ୮୭୨.୫୦ ଟଙ୍କା ହୋଇଛି । ଘରୋଇ ଗ୍ୟାସର ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିଥିବା ର ସୂଚନା ମିଳିନାହିଁ । ଦିଲ୍ଲୀରେ ୧୯ କିଲୋଗ୍ରାମର ବାଣିଜ୍ୟ ସିଲିଣ୍ଡରର ମୂଲ୍ୟ ୧୯୨ ଟଙ୍କା ହ୍ରାସ ପାଇଛି , ଯାହା ଫଳରେ ଏହାର ନୂତନ ମୂଲ୍ୟ ୨୭୩୮ ଟଙ୍କା ହୋଇଛି । ପୂର୍ବରୁ ଦିଲ୍ଲୀରେ ୨୯୩୦ ଥିଲା । ଏହି ସିଲିଣ୍ଡରଗୁଡିକ ହୋଟେଲ, ରେଷ୍ଟୁରାଣ୍ଟ , ଢାବା, କ୍ୟାଟରିଂ ସେବା ଇତ୍ୟାଦି ପ୍ରଦାନ କରୁଥିବା ବ୍ୟବସାୟଗୁଡିକ ଦ୍ୱାରା ବ୍ୟବହୃତ ହୁଏ । ଚଳିତ ବର୍ଷ ଜାନୁଆରୀ ମାସରୁ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ନିରନ୍ତର ବୃଦ୍ଧି ପାଇଥିଲା। ଗତ ବର୍ଷ ଡିସେମ୍ବର ୧ ତାରିଖରେ ଏହି ସିଲିଣ୍ଡରର ମୂଲ୍ୟ ୧୫୮୦.୫୦ ଟଙ୍କା ଥିଲା। ଚଳିତ ବର୍ଷ ଜାନୁଆରୀ ୧ ତାରିଖରେ ଏହା ୧୬୯୧.୫୦ ଟଙ୍କାକୁ ବୃଦ୍ଧି ପାଇଥିଲା। ତା’ପରେ ଫେବ୍ରୁଆରିରେ ଏହାକୁ ୧୭୪୦.୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ମାର୍ଚ୍ଚ ମାସରେ ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଏହାର ମୂଲ୍ୟ ଦୁଇଥର ବୃଦ୍ଧି କରାଯାଇଥିଲା। ମାର୍ଚ୍ଚ ୧ ତାରିଖରେ ଏହାର ମୂଲ୍ୟ ୧୭୬୮.୫୦ ଟଙ୍କାକୁ ବୃଦ୍ଧି ପାଇଥିଲା ଏବଂ ମାର୍ଚ୍ଚ ୭ ତାରିଖରେ ଏହା ୧୮୮୩ ଟଙ୍କାରେ ପହଞ୍ଚିଥିଲା। ତା’ପରେ ଏପ୍ରିଲ ୧ ତାରିଖରେ ଏହାର ମୂଲ୍ୟ ୨୦୭୮.୫୦ ଟଙ୍କାରେ ପହଞ୍ଚିଥିଲା।










