27.8 C
Bhubaneswar
Tuesday, July 28, 2026
Homeଓଡିଶାସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ଫୁଲବାଣୀର ମେଡିକାଲ କଲେଜ ନାମିତ ନିଷ୍ପତି, ସିଏମ୍‌ଓରୁ ଜଷ୍ଟିସ୍ ନାଇଡୁ...

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ଫୁଲବାଣୀର ମେଡିକାଲ କଲେଜ ନାମିତ ନିଷ୍ପତି, ସିଏମ୍‌ଓରୁ ଜଷ୍ଟିସ୍ ନାଇଡୁ କମିଶନ ଫାଇଲ୍ ଚୋରି ମାମଲାକୁ କାଇମ୍‌ବ୍ରାଂଚକୁ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ୱର: କନ୍ଧମାଳରେ ଜିଲାର ଫୁଲବାଣୀଠାରେ ପ୍ରତିଷ୍ଠିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିିକିତ୍ସାଳୟକୁ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା, ତାଙ୍କ ସ୍ମୃତିକୁ ଅଧିକ ଉଜାଗର କରିବା ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କନ୍ୟାଶ୍ରମକୁ ୧୩ କୋଟି ଟଙ୍କାର ସହାୟତା ଘୋଷଣା ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡର ଫାଇଲ୍ ଚୋରି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଂଚକୁ ହସ୍ତାନ୍ତର କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟସରକାରଙ୍କୁ ଓଡ଼ିଶାବାସୀ ତଥା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଂରଚି ନାରାୟଣ ତ୍ରିପାଠୀ ଧନ୍ୟବାଦ ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ୍ ବାର୍ତାରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଉପାନ୍ତ ଅଂଚଳ ଭାବେ ପରିଚିତ କନ୍ଧମାଳ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ନିରନ୍ତର କାର୍ଯ୍ୟ କରୁଥିôଲେ । ଏହି ସମ୍ପ୍ରଦାୟର ବିକାଶ ଓ ଉନ୍ନତି ପାଇଁ ସେମାନଙ୍କ ଭିତରେ ଶିକ୍ଷାର ପ୍ରସାର କରାଇବା ପାଇଁ ସ୍ୱାମୀଜୀ ନିରନ୍ତର ପ୍ରୟାସ କରୁଥିଲେ । ଉକ୍ତ ଅଂଚଳରେ ଥିବା କୁସଂସ୍କାର ଦୂରକରି ନିଶା ନିବାରଣ କରାଇବା, ପିଲାମାନଙ୍କୁ ବିଶେଷକରି ଜନଜାତି ବର୍ଗର ଝିଅମାନଙ୍କୁ ସଂସ୍କୃତ ପାଠ ପଢ଼ାଇବା, ସତ୍‌ସଙ୍ଗ କରାଇବା, ସେମାନଙ୍କୁ ଭାରତୀୟ ସଂସ୍କୃତି ଆଧାରିତ ସଂକୀର୍ତନ କରାଇବା, ସେମାନଙ୍କ ଆର୍ଥିକ ବିକାଶ କରିବା ପାଇଁ ସ୍ୱାମୀଜୀ ଉତ୍ସର୍ଗୀକୃତ ମନୋଭାବ ନେଇ ସାଧନାରେ ପ୍ରବୃତ ଥିଲେ । ମାତ୍ର ଉକ୍ତ ଅଂଚଳର ଯେଉଁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଓ ସଂସ୍ଥା ଧର୍ମାନ୍ତୀକରଣ କାର୍ଯ୍ୟ କରୁଥିଲେ, ସେମାନେ ସ୍ୱାମୀଜୀଙ୍କ ଏହି କାର୍ଯ୍ୟକୁ ଘୋର ବିରୋଧ କରୁଥିଲେ । ସେହି କାରଣରୁ ଧର୍ମାନ୍ତୀକରଣ କରୁଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକର ଆକ୍ରୋଶର ଶୀକାର ହୋଇଥିଲେ ସ୍ୱାମୀଜୀ । ବାରମ୍ବାର ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହାସତ୍ୱେ ତତ୍କାଳୀନ ରାଜ୍ୟ ସରକାରଙ୍କ ତରଫରୁ ସ୍ୱାମୀଜୀଙ୍କୁ ଯେଉଁ ପ୍ରକାର ସୁରକ୍ଷା ଦିଆଯିବା କଥା ସେପରି ଦିଆଯାଇ ନ ଥିଲା । ଶେଷରେ ୨୦୦୮ ଅଗଷ୍ଟ ୨୩ ତାରିଖରେ ପବିତ୍ର ଜନ୍ମାଷ୍ଟମୀରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଜଲେଶପଟ୍ଟା ଆଶ୍ରମରେ ଉତ୍ସବ ପାଳନ କରାଯାଉଥିବା ବେଳେ ଅଜ୍ଞାତ ବନ୍ଧୁକଧାରୀମାନେ ଅତ୍ୟନ୍ତ ନିର୍ମମ ଭାବେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ଅନ୍ୟ ୪ ଜଣ ସାଧୁ ଓ ସାଧ୍ୱୀ ଯଥା ମାତା ଭକ୍ତିମୟୀ, ବାବା ଅମୃତାନନ୍ଦ, କିଶୋର ବାବା ଓ ପୁରଞ୍ଜନ ନାୟକଙ୍କୁ ହତ୍ୟା କରିଥିଲେ । ହତ୍ୟା ପରବର୍ତୀ ଅବସ୍ଥାରେ କନ୍ଧମାଳ ଜିଲ୍ଲାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା ।

ତତ୍କାଳୀନ ସରକାର ଓଡ଼ିଶାବାସୀଙ୍କ ଜନମତ ଚାପରେ ଆସି ପ୍ରଥମେ ଜଷ୍ଟିସ ଶରତ ମହାପାତ୍ରଙ୍କ ନେତୃତ୍ୱରେ କମିଶନ ବସାଇଥିଲେ । ଜଷ୍ଟିସ ଶରତ ମହାପାତ୍ରଙ୍କ ମୃତ୍ୟୁ ପରେ ଉକ୍ତ କମିଶନଙ୍କ କାର୍ଯ୍ୟକୁ ଜଷ୍ଟିସ୍ ଏ.ଏସ୍‌.ନାଇଡୁଙ୍କୁ ଅର୍ପଣ କରାଯାଇଥିଲା । ୨୦୧୬ ସେପ୍ଟେମ୍ବର ୧୬ରେ ଏହି କମିଶନ ତତ୍କାଳୀନ ରାଜ୍ୟ ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ୮ ବର୍ଷ ଧରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ତଦନ୍ତ ରିପୋର୍ଟ ଆଧାରରେ ଯେଉଁମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି ବା କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି ତାହା ମଧ୍ୟ ସାର୍ବଜନୀନ କରାଯାଇ ନଥିଲା । ବିରୋଧୀ ଦଳରେ ଥିଲାବେଳେ ବିଜେପି ଏନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଥିଲା । ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ଦଳ ପକ୍ଷରୁ ବାରମ୍ବାର ଦାବି କରାଯାଇଥିଲା । ମାତ୍ର ତତ୍କାଳୀନ ସରକାର ସେଥିପ୍ରତି ଗୁରତ୍ୱ ଦେଇ ନଥିଲେ । ୨୦୨୪ ଜୁନ୍‌ରେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବା ପରେ ଏହି ଫାଇଲକୁ ସାର୍ବଜନୀନ କରିବା ପାଇଁ ଚେଷ୍ଟା କରିଥିଲା । ମାତ୍ର ଅତ୍ୟନ୍ତ ଦୁଃଖ ପରିତାପର ବିଷୟ ଏହିକି ଯେ, ଉକ୍ତ ଫାଇଲ ଖୋଜିଲା ପରେ ମଧ୍ୟ ତାହା ମିଳି ନ ଥିଲା । ଏନେଇ ବିଜେପି ସରକାର ତରଫରୁ ବିଭିନ୍ନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ପ୍ରେରଣ କରାଯାଇ ଫାଇଲ ସମ୍ପର୍କରେ ଅନୁସନ୍ଧାନ କରାଯାଇ ଥିଲା । ମାତ୍ର ତାଙ୍କ ତରଫରୁ କୌଣସି ସନ୍ତୋଷଜନକ ଉତର ମିଳି ନ ଥିଲା । ଏନେଇ ଫାଇଲ ଚୋରି ହୋଇଥିବା ନେଇ ପରବର୍ତୀ ସମୟରେ କ୍ୟାପିଟାଲ ଥାନାରେ ଏଫ୍‌ଆଇଆର୍ ଦାଖଲ କରାଯାଇଥିଲା । ଏହାପରେ ପୋଲିସ ତଦନ୍ତ କରି ଏ ପ୍ରସଙ୍ଗରେ ଅନେକ ବ୍ୟକ୍ତିଙ୍କୁ ନୋଟିସ ପଠାଇ ଜେରା କରିଛି । ରାଜ୍ୟ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । ଏହାର ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ସବୁଠାରୁ ବୃହତ୍ ଓ ବିଶ୍ୱାସନୀୟ ତଦନ୍ତକାରୀ ସଂସ୍ଥା କ୍ରାଇମ୍‌ବ୍ରାଂଚକୁ ଫାଇଲ୍ ଚୋରି ମାମଲା ହସ୍ତାନ୍ତର କରିଛନ୍ତି । କ୍ରାଇମବ୍ରାଂଚ ଏହାର ତଦନ୍ତ ଅତ୍ୟନ୍ତ ଗୁରୁତ୍ୱ ଓ ନିଷ୍ଠାର ସହ କରିବ ବୋଲି ଆଶା କରାଯାଉଛି । ସେ ଦୃଷ୍ଟିରୁ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଉଛି ।

ଅପରପକ୍ଷେ ଦୀର୍ଘଦିନ ଧରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କନ୍ଧମାଳ ଜିଲ୍ଲାରେ ସେବା କାର୍ଯ୍ୟ କରୁଥିଲେ । ସେହି ସେବା କାର୍ଯ୍ୟକୁ ଓଡ଼ିଶା ସରକାର ଆଜି ସ୍ୱିକୃତୀ ପ୍ରଦାନ କରିଛନ୍ତି । କନ୍ଧମାଳର ଫୁଲବାଣୀଠାରେ ନୂତନଭାବେ ପ୍ରତିଷ୍ଠା ହୋଇଥିବା ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମକରଣ କରିବା ପାଇଁ ସରକାର ନିଷ୍ପତି ନେଇସାରିଛନ୍ତି । ଏନେଇ ଦଳ ପକ୍ଷରୁ ରାଜ୍ୟ ସରକାରଙ୍କୁ ଯେତେ ଧନ୍ୟବାଦ ଦେଲେ ତାହା କମ୍ ହେବ । ଏଥିସହ ଜଲେଶପଟ୍ଟାଠାରେ ଯେଉଁଠାରେ ସ୍ୱାମୀଜୀଙ୍କ ଦେହାନ୍ତ ହୋଇଥିଲା, ସେଠାରେ ଏବେ ଏକ କନ୍ୟାଶ୍ରମ ଚାଲିଛି । ଉକ୍ତ କନ୍ୟା ଆଶ୍ରମରେ ଅଧିକାଂଶ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଝିଅମାନେ ରହି ପାଠ ପଢ଼ିବା ସହ ସଂସ୍କୃତ ଅଧ୍ୟୟନ କରୁଛନ୍ତି । ତାହାର ଉନ୍ନତି ପାଇଁ ଓ ସ୍ୱାମୀଜୀଙ୍କ ସ୍ମୃତିକୁ ଅଧିକ ଉଜ୍ଜବୀତ କରିବା ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ୧୩ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଯେଉଁଥିରେ ଉକ୍ତ ଅଂଚଳର ୩୦୦ ଶହ ଛାତ୍ରୀ ରହିବା ପାଇଁ ଏକ ଛାତ୍ରୀ ନିବାସଠାରୁ ଆରମ୍ଭ କରି ଏକ ପାଚେରୀ ନିର୍ମାଣ କରିବାକୁ ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ପାଖରେ ଥିବା ନଦୀରୁ ଜଳ ଆଣି ଉକ୍ତ ଅଂଚଳର ବିକାଶ କରିବା ପାଇଁ ମଧ୍ୟ ଯୋଜନା କରାଯାଇଛି । ଜନଜାତି ଝିଅମାନଙ୍କ ଉନ୍ନତି ପାଇଁ ସ୍ୱାମୀଜୀ ଯେଉଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ, ତାହାର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ସହଯୋଗର ହାତ ବଢ଼ାଇଥିବାରୁ ଓଡ଼ିଶା ସରକାରଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଧନ୍ୟବାଦ ଦିଆଯିବା ସହ କୃତଜ୍ଞତା ଜ୍ଞାପନ କରାଯାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ପ୍ରେସ୍ ବାର୍ତାରେ ରାଜ୍ୟ ଉପସଭାପତି ଶ୍ରୀ ଅଶୋକ ମିଶ୍ର ଓ ରାଜ୍ୟ ପ୍ରବକ୍ତା ଶ୍ରୀ ହିତେଶ ମହାପାତ୍ର ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking