ନୂଆଦିଲ୍ଲୀ: : ଆଜି ସନ୍ଧ୍ୟା ୪ ଟା ୩୦ ଘଟିକା ସମୟରେ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଭବନର ଗୋଦାବରୀ କକ୍ଷରେ ବିଶିଷ୍ଟ ଲେଖକ ଶ୍ରୀ ବିଜୟ ନାୟକଙ୍କ ସମ୍ପାଦନାରେ ପ୍ରସ୍ତୁତ ପୁସ୍ତକ ‘ଆମ ରାଷ୍ଟ୍ରପତି ଆମ ଗୌରବ’ ଉନ୍ମୋଚିତ ହୋଇଯାଇଛି । ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ ଏହାକୁ ଉନ୍ମୋଚନ କରି ଏହାର ପ୍ରଥମ ପ୍ରତିଲିପି ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ସମ୍ବନ୍ଧରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଦ୍ଵାରା ରଚିତ ଆଲେଖଗୁଡ଼ିକର ଏହା ଏକ ସଚିତ୍ର ସଙ୍କଳନ । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ମାନନୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଲ୍. ମୁରୁଗାନ୍ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁଙ୍କ କାର୍ଯ୍ୟକାଳର ଚାରି ବର୍ଷ ପୂର୍ତ୍ତି ଅବସରରେ ଆଜି ପୂର୍ବାହ୍ନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅପରାହ୍ନରେ ଆୟୋଜିତ ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ସମ୍ପର୍କରେ ରଚିତ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ ଚାରିଗୋଟି ହିନ୍ଦୀ ପୁସ୍ତକ, ଯଥା- ‘ରାଷ୍ଟ୍ରପତି ଭବନ : ରାଷ୍ଟ୍ର କା ଭବନ’, ‘ସେବା ଔର ସମ୍ବେଦନା’, ‘ସମାବେଶୀ ସହଭାଗିତା’ ଏବଂ ‘ଭାରତୀୟତା କା ଉତ୍ସବ’ ମଧ୍ୟ ଉନ୍ମୋଚିତ ହୋଇଥିଲା ।
ସୂଚନାଯୋଗ୍ୟ ଯେ ଓଡ଼ିଆ ପୁସ୍ତକ ‘ଆମ ରାଷ୍ଟ୍ରପତି ଆମ ଗୌରବ’ରେ ଓଡ଼ିଶାର ମୁଖମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜ୍ଞାନପୀଠ ବିଜୟିନୀ ଡକ୍ଟର ପ୍ରତିଭା ରାୟ, ପ୍ରଫେସର ଦାଶ ବେନହୁର, ଶ୍ରୀ ବିନୟ ସହସ୍ରବୁଦ୍ଧେ, ଶ୍ରୀମତୀ ଦମୟନ୍ତୀ ବେଶ୍ରାଙ୍କ ସମେତ ଅନେକ ସୁନାମଧନ୍ୟ ଲେଖକଙ୍କ ଆଲେଖ ସ୍ଥାନୀତ ହୋଇଛି । ଦୁଇଶହ ପୃଷ୍ଠାର ଏହି ବହିଟିକୁ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ପ୍ରକାଶନ ସଂସ୍ଥା ଟାଇମ୍ ପାସ୍ ପ୍ରକାଶ କରିଛନ୍ତି ।










