ଭୁବନେଶ୍ୱର: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଆଜି କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ସ୍ୱାଧୀନତା, ସାର୍ବଭୌମତ୍ୱ ଓ ଅଖଣ୍ଡତା ରକ୍ଷା ପାଇଁ କାର୍ଗିଲ ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କର ସାହସ, ତ୍ୟାଗ ଓ ଦେଶପ୍ରେମକୁ ସ୍ମରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଓଡ଼ିଶା ଓ ଝାଡ଼ଖଣ୍ଡ କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ଡ. ଫନୀ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ବ୍ରିଗେଡିୟର (ଡ.) ସର୍ବେଶ୍ୱର ଶତପଥୀ ଏବଂ ମୁଖ୍ୟବକ୍ତା ଭାବେ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ।
ଏଡିଜି ଶ୍ରୀ ମିଶ୍ର ନିଜ ଅଭିଭାଷଣରେ କହିଥିଲେ ଯେ, କାର୍ଗିଲ ଯୁଦ୍ଧ ଏବଂ ଯେକୌଣସି ଯୁଦ୍ଧ ପରିସ୍ଥିତିରେ ଯୋଗାଯୋଗ ବ୍ୟବସ୍ଥାର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଭାରତୀୟ ସୂଚନା ସେବାର ଅଧିକାରୀ ଭାବେ ପ୍ରତିରକ୍ଷା କ୍ଷେତ୍ର ସହ ନିଜର ଅଭିଜ୍ଞତା ବାଣ୍ଟି ସେ କହିଥିଲେ ଯେ, ଯୁଦ୍ଧ ସମୟରେ କେବଳ ସଠିକ୍ ସୂଚନା ପ୍ରଦାନ ନୁହେଁ, ବରଂ ବିଭ୍ରାନ୍ତିକର ସୂଚନାର ମୁକାବିଲା କରିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ସେ ଯୁଦ୍ଧକାଳୀନ ଯୋଗାଯୋଗର ପାଞ୍ଚଟି ପ୍ରମୁଖ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। ସେଗୁଡ଼ିକ ହେଲା – ବିଭ୍ରାନ୍ତିକର ସୂଚନାର ମୁକାବିଲା ପାଇଁ ରଣନୀତିକ ଯୋଗାଯୋଗ, ଜନସମ୍ପର୍କ ଓ ପ୍ରଚାର ପରିଚାଳନା, ଯୁଦ୍ଧର ସକାରାତ୍ମକ ବୃତ୍ତାନ୍ତ ଗଠନ, ସମ୍ବାଦ ପରିଚାଳନା ଏବଂ ଜନ କୂଟନୀତି । ଯୁଦ୍ଧ ପରିସ୍ଥିତିକୁ ସଠିକ୍ ଭାବେ ବୁଝିବା ଓ ପରିବେଷଣ କରିବା ପାଇଁ ଯୋଗାଯୋଗ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଏହି ପାଞ୍ଚଟି ଦିଗକୁ ସର୍ବଦା ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ। ସେହିସହିତ କାର୍ଗିଲ ଯୁଦ୍ଧରୁ ମିଳିଥିବା ଶିକ୍ଷାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ଏବଂ ଏ ବିଷୟରେ ଅର୍ଥପୂର୍ଣ୍ଣ ଆଲୋଚନାକୁ ପ୍ରୋତ୍ସାହିତ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
ବିଶିଷ୍ଟ ଅତିଥି ବ୍ରିଗେଡିୟର (ଡ଼.) ସର୍ବେଶ୍ୱର ଶତପଥୀ କାର୍ଗିଲ ଯୁଦ୍ଧ ସମୟରେ ଜାମ୍ମୁରେ ସିଆରପିଏଫ୍ରେ କାର୍ଯ୍ୟରତ ଥିବା ବେଳର ଅନୁଭୂତି ବାଣ୍ଟି କହିଥିଲେ ଯେ, କାର୍ଗିଲ ବିଜୟ କେବଳ ସାମରିକ ସଫଳତା ନୁହେଁ, ବରଂ ଦେଶର ଏକତା, ସୈନିକଙ୍କ ଅଦମ୍ୟ ସାହସ ଏବଂ ଜନସାଧାରଣଙ୍କ ଦୃଢ଼ ମନୋବଳର ପ୍ରତୀକ। ସେ କହିଥିଲେ ଯେ, ସଠିକ୍ ଓ ସକାରାତ୍ମକ ସୂଚନା ପ୍ରସାରଣ ଜାତୀୟ ଚେତନାକୁ ସୁଦୃଢ଼ କରିବା ସହ ଯୁବପିଢ଼ି ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । କାର୍ଗିଲର ବୀର ସହିଦମାନଙ୍କ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରି ମାନଙ୍କ ଆଦର୍ଶରୁ ପ୍ରେରଣା ନେବାକୁ ସେ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଡ. ଫନୀ ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, କାର୍ଗିଲ ବିଜୟ ଦିବସ ଭାରତୀୟ ସୈନିକଙ୍କ ସାହସ, ତ୍ୟାଗ ଓ ଦେଶପ୍ରେମର ଅବିସ୍ମରଣୀୟ ପ୍ରତୀକ। ଦେଶର ସାର୍ବଭୌମତ୍ୱ ରକ୍ଷା କେବଳ ସଶସ୍ତ୍ର ବାହିନୀର ନୁହେଁ, ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ ବୋଲି ସେ କହିଥିଲେ। ସାହିତ୍ୟ ଓ ସଂସ୍କୃତି ମାଧ୍ୟମରେ ଦେଶପ୍ରେମ, ମାନବିକତା ଓ ଜାତୀୟ ଏକତାର ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ଯୁବପିଢ଼ିକୁ ରାଷ୍ଟ୍ର ଗଠନରେ ସକ୍ରିୟ ଭୂମିକା ନେବାକୁ ସେ ଆହ୍ୱାନ କରିଥିଲେ।
ମୁଖ୍ୟ ବକ୍ତା ଡ. ପ୍ରଶାନ୍ତ କୁମାର ରାଉତ କହିଥିଲେ ଯେ, କାର୍ଗିଲ ବିଜୟ ଦିବସ କେବଳ ଏକ ଉତ୍ସବ ନୁହେଁ, ବରଂ ଭାରତୀୟ ସେନାର ବୀରତ୍ୱ, ତ୍ୟାଗ ଓ ରାଷ୍ଟ୍ରପ୍ରେମକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାର ଏକ ସୁଯୋଗ। କାର୍ଗିଲ ଯୁଦ୍ଧରେ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ସମେତ ବୀର ଯବାନମାନଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରି ସେ କହିଥିଲେ ଯେ, ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସେମାନଙ୍କ ଅବଦାନ ସଦା ସ୍ମରଣୀୟ। ଯୁବପିଢ଼ି ଦେଶର ଇତିହାସ ଓ ବୀର ସହିଦମାନଙ୍କ ବଳିଦାନରୁ ପ୍ରେରଣା ନେଇ ରାଷ୍ଟ୍ର ନିର୍ମାଣରେ ସାମିଲ ହେବାକୁ ସେ ଆହ୍ୱାନ ଜଣାଇଥିଲେ। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ସହ କାର୍ଗିଲ ବିଜୟ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ପିଆଇବି ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ଶ୍ରୀ ମହେନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ସିବିସି ଭୁବନେଶ୍ୱରର ବରିଷ୍ଠ କଳାକାରମାନେ ଦେଶାତ୍ମବୋଧକ ସାଂସ୍କୃତିକ ନାଟକ ପରିବେଷଣ କରି ଦର୍ଶକମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ସଞ୍ଚାର କରିଥିଲେ। ଏହି ଅବସରରେ ସିବିସି ଏବଂ ପିଆଇବି ଭୁବନେଶ୍ୱରର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।









