31.1 C
Bhubaneswar
Thursday, July 23, 2026
Homeଓଡିଶାଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି ପଛରେ ପାଣ୍ଡିଆନ୍‌!

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି ପଛରେ ପାଣ୍ଡିଆନ୍‌!

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ ହଠାତ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ଛାତ୍ର-ଯୁବକମାନଙ୍କ ସଂଗଠନ କକ୍ରୋଜ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ ଅନେକ ଦିନ ହେଲା ଦେଶରେ ଆନ୍ଦୋଳନ ଚଳାଇଛନ୍ତିି। ବିଜେଡି ଏହାକୁ ରାଜନୈତିକ ଦୃଷ୍ଟିରୁ ବିରୋଧୀ ଦଳ ହିସାବରେ ବିରୋଧ କରିଥିଲେ ବି ନବୀନ ବ୍ୟକ୍ତିଗତ ଭାବେ କୌଣସି ମତ ରଖି ନଥିଲେ। ଏବେ ହଠାତ୍ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିବା ସମସ୍ତଙ୍କୁ ଚିକିତ କରିଛି ଓ ତାକୁ ନେଇ ନାନା ଆଲୋଚନା ବି ଚାଲିଛି। କିନ୍ତୁ ନବୀନଙ୍କ ଏହି ବିରୋଧ ପଛରେ ଗୋଟେ ବଡ଼ କଥା କୁହାଯାଉଛି ଭିକେ ପାଣ୍ଡିଆନ୍‌ଙ୍କୁ ତଦନ୍ତ କମିଶନଙ୍କ ରିପୋର୍ଟ ହଜିବା ଘଟଣାରେ ପୁଲିସ ପକ୍ଷରୁ ସମନ କରାଯିବା ଘଟଣାକୁ ସେ ସହଜରେ ଗ୍ରହଣ କରିପାରି ନାହାଁନ୍ତି। ଅତିତରେ ଦେଖାଦେଇ ଆସିଛି ପାଣ୍ଡିଆନ୍‌ଙ୍କ ବିରୋଧରେ ଦଳର ଯେତେବଡ଼ ନେତା ହୁଅନ୍ତୁ ନା କାହିଁକି ସ୍ୱର ଉଠାଇବା କ୍ଷଣି ତାଙ୍କୁ କିଭଳି ଦଣ୍ଡ ମିଳିଛି ତାହା କାହାକୁ ଅଛପା ନାହିଁ। ସେ ପ୍ରଦୀପ ପାଣିଗ୍ରାହୀ ହୁଅନ୍ତୁ କି ପ୍ରଭାତ ତ୍ରିପାଠୀ କି ପ୍ରଭାତ ବିଶ୍ୱାଳଙ୍କ ଭଳି ଅନେକଙ୍କୁ ପରିଣତି ଭୋଗିବାକୁ ପଡ଼ିଛି। ଯେତେବେଳେ ପାଣ୍ଡିଆନ୍ ସରକାରୀ ଚାକିରିରୁ ଇସ୍ତଫା ଓ ଦଳୀୟ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ବି ଯେହେତୁ ସେ ନବୀନଙ୍କର ଚଳନ୍ତି ପ୍ରତିମା ଥିଲେ ଓ ଅଛନ୍ତି ତାଙ୍କ ଇଙ୍ଗିତରେ ହୁଏତ ଏଭଳି ଘଟଣା ଘଟିଥାଇପାରେ ଭାବି ତାଙ୍କୁ ନୋଟିସ୍ କରାଯାଇଥିବ। ମନୋଜ ମିଶ୍ରଙ୍କୁ ଜେରା ପରେ କିଛି ସୂଚନା ଆଧାରରେ ଏପରି ପଦକ୍ଷେପ ନିଆଯାଇଥାଇ ପାରେ ବୋଲି ଆଲୋଚନା ହେଉଛି।

ବିଜେଡି ଯେତେବେଳେ ନିର୍ବାଚନ ହାରିଲା ସେତେବେଳେ ସମସ୍ତେ କହିଲେ ପାଣ୍ଡିଆନ୍‌ଙ୍କ ପାଇଁ ଏପରି ହେଲା। ବିଜେଡିରେ ଏକ ପ୍ରକାର ବିଦ୍ରୋହର ସ୍ୱର ଉଠିଲା। ଦଳର ବିପର୍ଯ୍ୟୟ ପାଇଁ ସମୀକ୍ଷାକୁ କରିବାକୁ ନେତାମାନେ ଜୋର୍‌ଦାର୍ ଦାବି କଲେ। ହେଲେ ନବୀନ ଶେଷ ପର୍ଯ୍ୟନ୍ତ ଶୁଣିଲେ ନାହିଁ ଆଉ ବିପର୍ଯ୍ୟୟ ପାଇଁ ନିଜେ ଦାୟି ବୋଲି କହି ପାଣ୍ଡିଆନ୍‌ଙ୍କ ସପକ୍ଷରେ ଦୃଢ଼ ଭାବେ ଛିଡ଼ା ହେଲେ। ଏବେ ତାଙ୍କ ପତ୍ନୀଙ୍କୁ ଦଳରେ ସାମିଲ କରିଛନ୍ତି। ତେଣୁ ନବୀନଙ୍କର ପାଣ୍ଡିଆନ୍‌ଙ୍କ ପ୍ରତି କେତେ ଦୁର୍ବଳତା ତାହା ସ୍ପଷ୍ଟ। ବର୍ତ୍ତମାନ ସରକାର କ୍ଷମତାକୁ ଆସିବା ପରେ ଏବେ ହଠାତ୍ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଓ ସମ୍ ମେଡିକାଲ୍ କଲେଜ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାର ଆର୍‌ଡିସି ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନା କରିବା ପାଇଁ ବିଚାର କଲେ। ଏ ସମ୍ପର୍କିତ ରିପୋର୍ଟ ଖୋଜିବା ପରେ ତାହା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସି ମିଳୁ ନଥିବା ଜଣାପଡ଼ିଲା। ସେ ରିପୋର୍ଟ କୁଆଡ଼େ ଗଲା ତାହା ଖୋଳତାଡ଼ରୁ ଜଣାପଡ଼ିଲା ଗତ ସରକାରଙ୍କ ସମୟରେ ନିର୍ବାଚନ ଫଲାଫଳ ଘୋଷଣା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଥିଲା ତାହା ଆଉ ଫେରି ନାହିଁ। ସରକାରୀସ୍ତରରେ ବହୁ ଖୋଜିଖୋଜି ପରେ ରିପୋର୍ଟ ନମିଳିବାରୁ କ୍ୟାପିଟାଲ୍ ଥାନାରେ ଏତଲା ଦିଆଯାଇଥିଲା। ଏତଲା ଭିତିରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିବା ରାଜେଶ ବର୍ମା ଓ ଆଇଟି ସଚିବ ମନୋଜ ମିଶ୍ରଙ୍କୁ କ୍ୟାପିଟାଲ୍ ଥାନା ପକ୍ଷରୁ ସମନ କରାଯାଇଥିଲା। ଇତିମଧ୍ୟରେ ଶ୍ରୀ ମିଶ୍ର ଥାନାରେ ହାଜର ହୋଇ ତାଙ୍କ ପକ୍ଷ ରଖି ସାରିଛନ୍ତି। କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଶ୍ରୀ ବର୍ମା ସମୟ ଗଡ଼ାଇଛନ୍ତି। ଏହା ସତ୍ତ୍ୱେ ବି ନବୀନ ବ୍ୟକ୍ତିଗତ ଭାବେ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ମାତ୍ର ବଡ଼କଥା ହେଉଛି ପାଣ୍ଡିଆନ୍‌ଙ୍କୁ ନୋଟିସ୍ ହେବାର ପୂର୍ବଦିନ ନବୀନ ସ୍ୱର ଉଠାଇଥିଲେ। ଏଠି ଗୋଟିଏ କଥା ମନେରଖିବାକୁ ହେବ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ ଓ ପୁଲିସ ପ୍ରଶାସନ ତାଙ୍କ ହାତରେ ଥିଲା। ପାଣ୍ଡିଆନ୍ କ୍ଷମତାରେ ଥିଲାବେଳେ ପ୍ରଶାସନରେ ସର୍ବେସବା ଥିଲେ। ଏଣୁ ପୁଲିସ ନୋଟିସ୍ ନେଇ ଆଗୁଆ ସୂଚନା ପାଇବାରେ କୌଣସି ଅସୁବିଧା ନାହିଁ ବୋଲି ଧରି ନେବାକୁ ହେବ। ଏବେ ବି ପ୍ରଶାସନରେ ଅନେକ ଅଧିକାରୀ ଅଛନ୍ତି ଯେଉଁମାନେ ପାଣ୍ଡିଆନ୍‌ଙ୍କୁ ଆଗୁଆ ସୂଚନା ଦେବେ। ଏଭଳି ସୂଚନା ଆଗୁଆ ପାଇବା ପରେ ନବୀନ ଦିଲ୍ଲୀ ଯାଇଥିବା ସମୟରେ ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜାତୀୟ ଗଣମାଧ୍ୟମରେ୨୧ରେ ଇସ୍ତଫା ଦାବି କଥା ଉଠାଇଲେ। ୨୨ରେ କ୍ୟାପିଟାଲ୍ ଥାନା ପକ୍ଷରୁ ପାଣ୍ଡିଆନ୍‌ଙ୍କୁ ହାଜର ପାଇଁ ନୋଟିସ୍ ହେଲା। ଏଥିରୁ ସବୁ କଥା ଜଣାପଡ଼ି ଯାଉଛି। ହୁଏତ ସରକାର ବିଜେଡି ମୁହଁକୁ ବନ୍ଦ କରିବା ପାଇଁ ପାଣ୍ଡିଆନ୍‌ଙ୍କୁ ନୋଟିସ୍ ଦେଇ ପରୋକ୍ଷ ଧମକ ଦେବାକୁ ଚାଲ୍ ଚଳାଇଥାଇ ପାରନ୍ତି।

ନିର୍ବାଚନର ଯଥେଷ୍ଟ ଆଗରୁ ପାଣ୍ଡିଆନ୍ ସରକାରୀ ଚାକିରିରୁ ଇସ୍ତଫା ଦେଇ ସାରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଦୂରେଇ ଯାଇଥିଲେ। ରିପୋର୍ଟ ଆସିବା ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନଥିଲେ। ଏହା ସତ୍ତ୍ୱେ ତାଙ୍କୁ ନୋଟିସ୍ କରାଯାଇଥିବା ଘଟଣାକୁ ନବୀନ ସହଜରେ ଗ୍ରହଣ କରି ନାହାଁନ୍ତି। କୁହାଯାଉଛି ନବୀନ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ପାଣ୍ଡିଆନ୍‌ଙ୍କୁ କେହି କିଛି କହିଲେ ସୁଯୋଗ ଆସିଲେ ସେ ଛାଡ଼ିବେ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking