ପୁରୀ : ଆଜି ଆଡ଼ପ ଶେଷ ଦର୍ଶନ । ସନ୍ଧ୍ୟା ୬ଟା ଯାଏଁ ହେବ ଦର୍ଶନ । ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତି ବହୁଳତାକୁ ଦୃଷ୍ଟିରେ ରଖି,ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ । ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ କାର୍ଯ୍ୟ ଅନୁଷ୍ଠିତ ହେବା ସହ ଶ୍ରୀଜୀଉମାନଙ୍କର ବାହୁଡ଼ା ଯାତ୍ରା ପୂର୍ବର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ । ମହାପ୍ରଭୁଙ୍କ ଏହି ପବିତ୍ର ନୀତିଗୁଡ଼ିକ ସୁରୁଖୁରୁରେ ଓ ନିର୍ବିଘ୍ନରେ ସମ୍ପାଦନ ପାଇଁ ନବମୀ/ସନ୍ଧ୍ୟା ଦର୍ଶନ ସମ୍ପର୍କିତ ଏହି ବ୍ୟବସ୍ଥାକୁ ସେବାଭାବରେ ଗ୍ରହଣ କରି ସମସ୍ତ ଭକ୍ତବୃନ୍ଦଙ୍କ ସହଯୋଗ ନିମନ୍ତେ ନିବେଦନ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଦର୍ଶନ ବନ୍ଦ ହେଲେ ମଧ୍ୟ କେବଳ ଆନନ୍ଦବଜାରକୁ ଯିବାଆସିବା କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ଖୋଲା ରହିବ ଏବଂ ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ । ମହାପ୍ରଭୁଙ୍କ ଗୁଣ୍ଡିଚାଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଶରଧାବାଲି ଉତ୍ସବମୁଖର ହୋଇଉଠିଛି । ଆସନ୍ତାକାଲି ବାହୁଡ଼ା ନୀତି ଶେଷ ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ । ୨୫ ତାରିଖରେ ବଡ଼ ତଢ଼ାଉ ବେଶ ବା ସୁନାବେଶ, ୨୬ ତାରିଖରେ ଅଧରନୀତି, ୨୭ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।










