ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ନାରଟି ଦେଉଳ ବ୍ଲକର ମୁଟୁରୁମୁଣ୍ଡା ସେବାଶ୍ରମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସେବାଶ୍ରମରେ ପଢୁଥିବା ପ୍ରଥମ ଶ୍ରେଣୀର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ହେଲେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଲବସା ଗ୍ରାମର ଜସ୍ମିନ୍ତା ବାଡାୟୁ । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଜସ୍ମିନ୍ତାଙ୍କ ଶରୀର ଅସୁସ୍ଥ ଲାଗୁଥିବାରୁ ସେ ତାଙ୍କ ବଡ଼ ଭଉଣୀ ପ୍ରୀତି ବାଡାୟୁଙ୍କୁ ଜଣାଇଥିଲେ । ପ୍ରୀତି ଏହି ସୂଚନା ସେବାଶ୍ରମର ମେଟ୍ରନ୍ ଜୟନ୍ତୀ ବାଳା ସାହୁଙ୍କୁ ଦେଇଥିଲେ କିନ୍ତୁ ରାତି ହୋଇଯାଇଥିବାରୁ ତୁରନ୍ତ ଚିକିତ୍ସାଳୟକୁ ନେବା ପରିବର୍ତ୍ତେ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି ।ସକାଳେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବା ପରେ ସେବାଶ୍ରମର ପ୍ରଧାନ ଶିକ୍ଷକ ପ୍ରଣବ କିଶୋର ପ୍ରଧାନ ତାଙ୍କୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଜସ୍ମିନ୍ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ପରିବାର ଲୋକ ରେଢ଼ାଖୋଲରେ ପହଞ୍ଚୁଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଘଟଣାକୁ ନେଇ ସେବାଶ୍ରମର ସ୍ୱାସ୍ଥ୍ୟ ସେବା ଓ ପରିଚାଳନା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।










