ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ଆତ୍ମହତ୍ୟା । ଘଟଣାର ସୂଚନା ପାଇ ଛତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ସୂଚନା ଅନୁଯାୟୀ, ନାବାଳିକାଙ୍କ ବାପାଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବାବେଳେ ତାଙ୍କ ମା’ କାମ ସୂତ୍ରରେ ହାଇଦ୍ରାବାଦରେ ରହୁଛନ୍ତି । ନାବାଳିକା ଜଣକ ନିଜ ଅଜାଙ୍କ ଘରେ ରହୁଥିଲେ ।ପ୍ରାଥମିକ ତଦନ୍ତରୁ ଭାଇ-ଭଉଣୀଙ୍କ ମଧ୍ୟରେ ଝଗଡ଼ା ପରେ ନାବାଳିକା ଏପରି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ତେବେ ଏହାକୁ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ କରାଯାଇନାହିଁ । ମୃତଦେହକୁ ଜବତ କରି ଛତ୍ରପୁର ମେଡିକାଲକୁ ପଠାଯାଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଘଟଣାର ସମସ୍ତ ଦିଗକୁ ନେଇ ଛତ୍ରପୁର ପୁଲିସ ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତର ଅନ୍ତିମ ଫଳାଫଳ ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସିବ ।










