କଟକ: କଟକ ଚାଉଳିଆଗଞ୍ଜ ଅଂଚଳରେ କଙ୍ଗାରୁ କୋର୍ଟ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ନାବାଳକକୁ ଉଲଗ୍ନ କରି କିଛି ଯୁବକ ମାଡ ମାରିଛନ୍ତି। ଏଥିସହ ଉଲଗ୍ନ ଭିଡିଓ ଉତ୍ତୋଳନ କରି ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏନେଇ ନାବାଳକ ଓ ତାଙ୍କ ପରିବାର ଲୋକ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି। ୨ ଦିନ ତଳେ ଏହି ଘଟଣା ଘଟିଥିଲା। ମାଡ ଖାଉଥିବା ନାବାଳକ ସେବେଠୁ ଘରକୁ ଆସୁ ନଥିଲେ। ଆଜି ସେ ଘରକୁ ଫେରିବା ପରେ ଏବଂ ଭିଡିଓ ଭାଇରାଲ ହେବା ପରେ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ ଓ ନ୍ୟାୟ ଦାବି କରିଛନ୍ତି। ନାବାଳକର ମାଆଙ୍କ କହିବା ଅନୁସାରେ, ପୁଅ ମଠ ସାହିରେ ରହୁଥିବା ସାଙ୍ଗଙ୍କୁ ଭେଟିବାକୁ ଯିବା ଆସିବା କରେ। କିଛି ଦିନ ତଳେ ଥଟାରୀ ସାହିରେ ଏକ ବ୍ୟାଟେରି ଚୋରି ମାମଲାରେ ତାଙ୍କ ପୁଅ ଉପରେ ଦୋଷ ଦିଆଯାଉଥିଲା। ହେଲେ ଏଥିରେ ତାଙ୍କ ପୁଅର ସମ୍ପୃକ୍ତି ନଥିବା ସମ୍ପୃକ୍ତ ନାବାଳକଙ୍କ ମାଆ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ତାଙ୍କ ପୁଅ ଥଟାରି ସାହିକୁ ଯାଇଥିବା ବେଳେ ୫ରୁ ଅଧିକ ଯୁବକ ସଂଘବଦ୍ଧ ହୋଇ ବାଉଁଶ ବାଡ଼ିରେ ଆକ୍ରମଣ କରିବା ସହିତ ଛୁରା ମାଡ଼ କରିବାକୁ ଧମକ ଦେଇ ଉଲଗ୍ନ ଅବସ୍ଥାରେ ବିଦା କରିଦେଇଥିଲେ। ଏପରିକି ଏହି ଘଟଣାରେ କଟକର ଜଣେ କର୍ପୋରେଟରଙ୍କ ପୁତୁରା ଥିବା କୁହାଯାଉଛି।










