ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଚିକିତ୍ସା ସେବା ପାଇଁ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ତ୍ୱରିତ ଚିକିତ୍ସାକୁ ପ୍ରାଥମିକତା ଦେଇ ବଡ଼ଦାଣ୍ଡରେ ଏକ ସ୍ୱତନ୍ତ୍ର ‘ଗ୍ରୀନ କରିଡର’ ବା ଆମ୍ବୁଲାନ୍ସ କରିଡର ବ୍ୟବସ୍ଥା କରାଯାଇଛି ।ରଥଯାତ୍ରା ସମୟରେ ପ୍ରବଳ ଜନସମାଗମ ଯୋଗୁଁ ବଡ଼ଦାଣ୍ଡରେ ସାଧାରଣ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥାଏ । ଏଭଳି ସ୍ଥିତିରେ ଯଦି କୌଣସି ଶ୍ରଦ୍ଧାଳୁ ଅସୁସ୍ଥ ହୁଅନ୍ତି, ତେବେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଏହି ସ୍ୱତନ୍ତ୍ର କରିଡର କାର୍ଯ୍ୟ କରିବ । ଜରୁରୀକାଳୀନ ଗାଡ଼ି ବା ଆମ୍ବୁଲାନ୍ସ ପାଇଁ ରାସ୍ତାର ଏକ ନିର୍ଦ୍ଦିଷ୍ଟ ପାର୍ଶ୍ୱକୁ ସର୍ବଦା ଖାଲି ରଖାଯିବାର ବ୍ୟବସ୍ଥା ହୋଇଛି । ଭିଡ଼ ନିୟନ୍ତ୍ରଣ କରି ଆମ୍ବୁଲାନ୍ସଗୁଡ଼ିକୁ ବିନା ବାଧାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଶହ ଶହ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି ।










