ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରକୃତି ମଧ୍ୟ ଯେପରି ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇଛି । ମଧ୍ୟେ ମଧ୍ୟେ ବର୍ଷା ହେଉଛି, ଆକାଶରେ ମେଘ ଖେଳୁଛି, କିନ୍ତୁ ଭକ୍ତଙ୍କ ଉତ୍ସାହରେ କୌଣସି ଭଟ୍ଟା ପଡ଼ିନାହିଁ ବରଂ ଏହି ବର୍ଷା ଭକ୍ତିର ମାହୋଲକୁ ଆହୁରି ଭାବବିହ୍ୱଳ କରିଦେଇଛି । ମନେ ହେଉଛି, ମେଘ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆକାଶରୁ ଓହ୍ଲାଇ ଆସିଛି । ଭକ୍ତ, ଭଗବାନ ଓ ପ୍ରକୃତିର ଏହି ଅପୂର୍ବ ସଙ୍ଗମ ରଥଯାତ୍ରାର ମହିମାକୁ ଆହୁରି ଅଲୌକିକ କରିଦେଇଛି । ଘନ ଘନ ବର୍ଷା ସତ୍ତ୍ୱେ ବଡ଼ଦାଣ୍ଡ ଛାଡ଼ି ଯାଇନାହାନ୍ତି ଭକ୍ତ । କାହା ହାତରେ ଛତା, କାହା ଦେହରେ ବର୍ଷାକୋଟ୍, ଆଉ କେହି ବର୍ଷାକୁ ଖାତିର ନକରି ଖୋଲା ଆକାଶ ତଳେ ଠିଆ ହୋଇ ଅପେକ୍ଷା କରୁଛନ୍ତି । ସମସ୍ତଙ୍କ ଆଖି କେବଳ ଗୋଟିଏ ଦିଗକୁ ମହାପ୍ରଭୁଙ୍କ ଦର୍ଶନ । ଘଣ୍ଟ, ଘଣ୍ଟା, ମାଦଳ, କାହାଳୀ ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ । ବର୍ଷା ସହ ଭକ୍ତଙ୍କ ଆଖିର ଲୁହ ମିଶି ଯେପରି ଏକ ଅଦ୍ଭୁତ ଭକ୍ତିର ପରିବେଶ ସୃଷ୍ଟି କରିଛି । ବର୍ତ୍ତମାନ ମହାପ୍ରଭୁ ରଥରେ ବିରାଜମାନ ।










