ପୁରୀ: ଏଥର ରଥଯାତ୍ରା ପାଇଁ ପୁରୀରେ କରାଯାଇଛି ସ୍ୱତନ୍ତ୍ର ଟ୍ରାଫିକ୍ ସୁପରିଚାଳନା । ମୋଟ ୩୦ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି । ଏଥିମଧ୍ୟରୁ ୬ଟି ହେଉଛି ନୂତନ । ଭକ୍ତମାନଙ୍କୁ ଅସୁବିଧା ନ ହେଉ ସେଥିପାଇଁ ୪ଟି ସ୍ୱତନ୍ତ୍ର ବସ୍ ପାର୍କିଂ ଜୋନ୍ ମଧ୍ୟ କରାଯାଇଛି । ବର୍ଷା ଋତୁକୁ ନଜରରେ ରଖି ସମସ୍ତ ପାର୍କିଂରେ ଲଗାଯାଇଛି ଡି-ୱାଟରିଂ ପମ୍ପ । ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି ୧୦୫୦ଟି ଟ୍ରାଫିକ୍ ସାଇନେଜ୍। ଭକ୍ତଙ୍କ ସହାୟତା ପାଇଁ ୭୩ଟି ଟ୍ରାଫିକ୍ ଏଡ୍ ପୋଷ୍ଟ ଓ ୨ଟି ଏଲଇଡି ମୋବାଇଲ୍ ଭ୍ୟାନ୍ କାମ କରିବ । ଏଥର ମୁଖ୍ୟ ଫୋକସ୍ ହୋଇଛି ଟେକ୍ନୋଲୋଜି ବେସ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ । ଆମର ଲକ୍ଷ୍ୟ ରଥଯାତ୍ରାକୁ ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ।
ପ୍ରଥମ ଥର ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଡ୍ରୋନ୍ ଦ୍ୱାରା ଟ୍ରାଫିକ୍ ଉପରେ ନଜର ରଖାଯିବ । ଡ୍ରୋନ୍ର ଲାଇଭ୍ ଫିଡ୍ ସିଧା ଯିବ ୨୪ ଘଣ୍ଟିଆ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍କୁ । ସେଠାରୁ ତୁରନ୍ତ ପଦକ୍ଷେପ ନିଆଯିବ । ସହରକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ି ଉପରେ ରହିବ ସିସିଟିଭି ନଜର । ଭକ୍ତମାନଙ୍କ ସୁବିଧା ପାଇଁ ପୁରୀ ପୁଲିସ ଆଣିଛି ସ୍ୱତନ୍ତ୍ର ମୋବାଇଲ୍ ଆପ୍ । ସେହିପରି AI ଆଧାରିତ ଚାଟବଟ୍ ଓ ବଲ୍କ ଏସଏମଏସ୍ ସେବା ମଧ୍ୟ ଆରମ୍ଭ ହୋଇଛି । ଏଥିରେ ପାର୍କିଂ, ଡାଇଭର୍ସନ୍ ଓ ବିକଳ୍ପ ରାସ୍ତା ସମ୍ପର୍କରେ ରିଅଲ୍ ଟାଇମ୍ ସୂଚନା ମିଳିପାରିବ । ଭକ୍ତମାନଙ୍କୁ ଅନୁରୋଧ କରାଯାଇଛି ନିର୍ଦ୍ଦିଷ୍ଟ ପାର୍କିଂରେ ହିଁ ଗାଡ଼ି ରଖନ୍ତୁ । ଟ୍ରାଫିକ୍ ନିୟମ ମାନନ୍ତୁ ଏବଂ ପୁଲିସକୁ ସହଯୋଗ କରନ୍ତୁ । ଅତ୍ୟାଧୁନିକ ପ୍ରଯୁକ୍ତି ଓ ବ୍ୟାପକ ପୁଲିସ୍ ମୁତୟନ ସହ ପୁରୀ ପ୍ରଶାସନ ଏଥର ରଥଯାତ୍ରାକୁ ସମ୍ପୂର୍ଣ୍ଣ ସମସ୍ୟା ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛି ।










