ଭୁବନେଶ୍ୱର: ରାଜ୍ୟର ସାଧାରଣ ଜନତାଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ପାଇଁ ସ୍ଵାସ୍ଥ୍ୟବିଭାଗ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀ ନିଯୁକ୍ତି କରାଯିବ । ଔଷଧ ସେବନ ଓ ବିତରଣ ବ୍ୟବସ୍ଥା ପାଇଁ ନୂତନ ୧୧୦୮ ଫାର୍ମାସିଷ୍ଟ ଅଧିକାରୀ (Pharmacist Officer) ପଦବୀ , ଆଖି ସ୍ୱାସ୍ଥ୍ୟର ଯତ୍ନ ପାଇଁ ୨୩୮ ଅପ୍ଥାଲମିକ୍ ଅଫିସର (Ophthalmic Officer) ଏବଂ ରୋଗର ସଠିକ୍ ଚିହ୍ନଟ ଓ ପରୀକ୍ଷଣ ପ୍ରକ୍ରିୟା ନିମନ୍ତେ ୩୮୦ ମେଡିକାଲ ଲ୍ୟାବ୍ ଟେକ୍ନିସିଆନ୍ (Medical Lab Technician) ପଦବୀ ନିଯୁକ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପଦବୀ ଗୁଡିକୁ ଅର୍ଥ ବିଭାଗ ମଞ୍ଜୁରୀ ମିଳିସାରିଛି । ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ନିଜ ବକ୍ତ୍ୟବ୍ୟରେ କହିଛନ୍ତି ଯେ “ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ସ୍ଵାସ୍ଥ୍ୟ ବିଭାଗ ମାନବ ସମ୍ବଳର ଉନ୍ନତି ହୋଇଛି । ମେଡ଼ିକାଲଗୁଡ଼ିକରେ କର୍ମଚାରୀଙ୍କ ଅଭାବ ଦୂର କରିବା ଏବଂ ରୋଗୀମାନଙ୍କୁ ବିନା କୌଣସି ଅସୁବିଧାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ହିଁ ମୂଳ ଲକ୍ଷ୍ୟ।” ଏହି ସମସ୍ତ ପଦବୀଗୁଡ଼ିକ ଆଗାମୀ ଦିନରେ ନିୟମିତ ପ୍ରକ୍ରିୟା ମାଧ୍ୟମରେ ସ୍ୱଚ୍ଛତାର ସହ ପୂରଣ କରାଯିବ।










