ଦିଗପହଣ୍ଡି : ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ । ଶ୍ରୀ ଶନିଶ୍ଚର ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦାନ ବାକ୍ସ ଭାଙ୍ଗି ଚୋରି କରିଥିବା ଜଣାପଡିଛି । ଶନି ମନ୍ଦିରରୁ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।ଶନି ମନ୍ଦିର ପୂଜାରୀ ଭୋର ପ୍ରାୟ ୫ ଟାରେ ପୂଜା କରିବା ପାଇଁ ଆସିଥିଲେ। ପ୍ରଥମେ ମନ୍ଦିର ଗମ୍ଭୀରା ଭିତରକୁ ଯିବା ପୂର୍ବରୁ ମୁଖ୍ୟ ଫାଟକ ଖୋଲାଥିବା ସେ ଦେଖିଥିଲେ। ଏହାପରେ ସେ ଗମ୍ଭୀରା ଭିତରକୁ ଯିବାପରେ ଫାଟକ ନିକଟରେ ଥିବା ଦାନ ବକ୍ସ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ପୂଜକ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାମାନଙ୍କୁ ଖବର ଦେଇଥିଲେ । ଖବର ପାଇ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ ଓ ଗ୍ରାମବାସୀ ପହଞ୍ଚି ଦାନ ବାକ୍ସ ଭାଙ୍ଗି ଦୁର୍ବୃତ୍ତମାନେ ସେଥିରୁ ପ୍ରାୟ ୪ ହଜାର ଟଙ୍କା ନେଇଯାଇଥିବା ଜାଣିବାକୁ ପାଇଥିଲେ । ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ ପାଟପୁର ଥାନାକୁ ଏନେଇ ଖବର ଦେଇଥିଲେ।










