ଭୁବନେଶ୍ୱର : ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ୍ର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ଏହି ଅବସରରେ ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବାଣ୍ଟିଛନ୍ତି ଉପରାଷ୍ଟ୍ରପତି। ଓୟୁଏଟିରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଉପରାଷ୍ଟ୍ରପତି କହିଛନ୍ତି, ମତ୍ସ୍ୟ ଉତ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓଡ଼ିଶା ।
କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୫୭୫ କିଲୋମିଟର ସୁଦୀର୍ଘ ବେଳାଭୂମିର ମତ୍ସ୍ୟ ସମ୍ପଦର ସୁରକ୍ଷା ପାଇଁ ରହିଛି। ଆଗାମୀ ୧୦ ବର୍ଷ ଭିତରେ ୧୫୦ଟି ମାଛ ଧରା ଜାହାଜ ଓ ଡିଏସଏଫଭିର ନିୟୋଜନ ସହ ୫୦୦ଟି ମାଛ ଧରା ଜାହାଜର ଆଧୁନିକୀକରଣ କରାଯାଉଛି। ଏହି ମିଶନର ସଫଳ କାର୍ଯ୍ୟାନ୍ୱୟନ ଓଡ଼ିଶାକୁ ଏକ ପ୍ରମୁଖ ସାମୁଦ୍ରିକ ମତ୍ସ୍ୟ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବ। ଏହାଦ୍ୱାରା ‘ନୀଳ ଅର୍ଥନୀତି’ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ସେପଟେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆନ୍ଧ୍ର ଠାରୁ ଆମ ସମୁଦ୍ର ଉପକୂଳ ଅଧିକ ଥିଲେ ବି ମତ୍ସ୍ୟ ଉତ୍ପାଦନରେ ଆମେ ଓଡ଼ିଶା ଠାରୁ ପଛରେ ଅଛୁ। ଯାହା ଆମ ପାଇଁ ଏକ ଆହ୍ବାନ ହେବ।









