ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରୁ ଆସିଛି ଏକ ହୃଦୟବିଦାରକ ଖବର । ବଡ ହିଣ୍ଡୁଲ ଗାଁରେ ପୋଖରୀରେ ବୁଡି ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ପରେ ସମଗ୍ର ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁଯୟୀ, ଦୁଇ ନାବାଳକ ଗାଁ ନିକଟସ୍ଥ ସ୍କୁଲ ପୋଖରୀକୁ ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ଅସାବଧାନତାବଶତଃ ସେମାନେ ପୋଖରୀର ଗଭୀର ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକମାନେ ଖବର ପାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଦୁଇ ନାବାଳକଙ୍କୁ ପାଣିରୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଗୋଷଣା କରିଥିଲେ । ଏହି ଅକାଳ ମୃତ୍ୟୁ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।










