ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବାଘମାରି ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ବଡ଼ଶଙ୍ଖ ନିକଟରେ ଏକ ହାଇଓ୍ବା ଅଟୋକୁ ଚାପିଦେବାରୁ ଗୁରୁତର ଅପଘାତ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଅଟୋଟି ରାସ୍ତାରେ ଚାଲୁଥିବା ବେଳେ ହଠାତ୍ ହାଇଓ୍ବାଟି ନିୟନ୍ତ୍ରଣ ହରାଇ ଅଟୋକୁ ଧକ୍କା ଦେଇ ଚାପିଦେଇଥିଲା । ଏହି ଘଟଣାରେ ଅଟୋ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇଯାଇଥିଲେ ।ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। କଟର ମେସିନ୍ ବ୍ୟବହାର କରି ଗାଡ଼ି କାଟି ଡ୍ରାଇଭରଙ୍କୁ ବାହାର କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି ଏବଂ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୁଲିସ୍ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










