କଟକ: କଟକ ଜିଲ୍ଲା ନରସିଂହପୁରରେ ଚାଞ୍ଚଲ୍ୟ । ମାଣିଆବନ୍ଧ ଅଞ୍ଚଳରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ କରିଥିବା ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଗୁଳିମାଡରେ ସେ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା, ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ, କିଛି ଦୁର୍ବୃତ୍ତ ହଠାତ ଆସି ସରପଞ୍ଚଙ୍କ ସ୍ୱାମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଆକ୍ରମଣ ପରେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି ତେବେ ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି ।










