ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ଓଡ଼ିଶାର ଆହୁରି କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବଲାଙ୍ଗୀର ଓ ବରଗଡ଼ର ଅଳ୍ପ ଅଂଶ, ନବରଙ୍ଗପୁର ଓ ଝାରସୁଗୁଡ଼ାର କିଛି ଅଂଶ, କଳାହାଣ୍ଡି, ସୋନପୁର ଏବଂ ସୁନ୍ଦରଗଡ଼ର ଅଧିକାଂଶ ଅଂଶ ଦେଇ ଅତିକ୍ରମ କରିଛି। ରାଜ୍ୟରେ ମୌସୁମୀ ସକ୍ରିୟ ଥିବାବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି। ତେଣୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଟ୍ରଫ୍ ଲାଇନ ସହ କାଳବୈଶାଖୀ ଯୋଗୁ ବର୍ଷା ହେଉଥିବା ବେଳେ ଆହୁରି ୪ଦିନ ଅର୍ଥାତ ୨୬ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୋମବାର ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ମୌସୁମୀଜନିତ ବର୍ଷା ହୋଇଛି।ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ପୂରା ରାଜ୍ୟରେ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।










