27.5 C
Bhubaneswar
Monday, June 22, 2026
Homeଓଡିଶାନାଗରିକ-କୈନ୍ଦ୍ରିକ ସହରାଞ୍ଚଳ ଶାସନ ବ୍ୟବସ୍ଥା: ଓଡ଼ିଶାରେ ଗୃହ ନିର୍ମାଣ, ଯୋଜନା ଏବଂ ଜମି ପରିଚାଳନା କ୍ଷେତ୍ରରେ...

ନାଗରିକ-କୈନ୍ଦ୍ରିକ ସହରାଞ୍ଚଳ ଶାସନ ବ୍ୟବସ୍ଥା: ଓଡ଼ିଶାରେ ଗୃହ ନିର୍ମାଣ, ଯୋଜନା ଏବଂ ଜମି ପରିଚାଳନା କ୍ଷେତ୍ରରେ ବ୍ୟାପକ ସଂସ୍କାର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ୱଚ୍ଛ, ନାଗରିକ-କୈନ୍ଦ୍ରିକ ଏବଂ ଭବିଷ୍ୟତମୁଖୀ ସହରାଞ୍ଚଳ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସଂସ୍କାରଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ସହରାଞ୍ଚଳ ଗୃହନିର୍ମାଣ, ନଗର ଯୋଜନା ଏବଂ ଜମି ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା।ବିଗତ କିଛି ମାସ ମଧ୍ୟରେ, ଆପାର୍ଟମେଣ୍ଟ ମାଲିକାନା ଓ ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ କରିବା, ଘର କ୍ରେତାମାନଙ୍କ ପାଇଁ ସୁବିଧା, ବିଲ୍ଡରମାନଙ୍କ ମଧ୍ୟରେ ଉତ୍ତରଦାୟିତ୍ୱ ବୃଦ୍ଧି କରିବା, ଯୋଜନା ଓ ବିକାଶ ନିୟମାବଳୀକୁ ସରଳ କରିବା ଏବଂ ଭଡ଼ା ଘର ପାଇଁ ଏକ ଆଧୁନିକ ଆଇନଗତ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ବିଭାଗ ପକ୍ଷରୁ ପ୍ରମୁଖ ନୀତିଗତ ପଦକ୍ଷେପ ନିଆଯାଇଛି।ଏହି ସଂସ୍କାର କ୍ରମରେ ‘ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ, ୨୦୨୩’ର ସଫଳ କାର୍ଯ୍ୟକାରିତା ଏକ ପ୍ରମୁଖ ମାଇଲଖୁଣ୍ଟ ସଦୃଶ ହୋଇଛି। ଏହାର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଏବଂ କାର୍ଯ୍ୟକାରୀ ଗାଇଡଲାଇନ ଜାରି କରାଯାଇଛି, ଯାହା ଆପାର୍ଟମେଣ୍ଟ ମାଲିକ, ଡେଭଲପର ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ଦୀର୍ଘଦିନର ସମସ୍ୟାକୁ ସମାଧାନ କରିପାରିଛି।

ରେରା (RERA) ଲାଗୁ ହେବା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟଗୁଡ଼ିକର ମାଲିକମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଡିସେମ୍ବର ୨୦୨୫ରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା (ସଂଖ୍ୟା ୨୯୨ ୫୯) ଜାରି କରାଯାଇଥିଲା। ଏହା ଦ୍ୱାରା ଅକ୍ଟୋବର ୫, ୨୦୧୬ ପୂର୍ବରୁ ପ୍ରଥମ ବିକ୍ରି ଦଲିଲ୍ ପଞ୍ଜୀକୃତ ହୋଇଥିବା ଆପାର୍ଟମେଣ୍ଟଗୁଡ଼ିକର ପୁନଃ-ବିକ୍ରି (Resale) ପଞ୍ଜୀକରଣ ପ୍ରକ୍ରିୟା ସରଳ ହୋଇଛି। ଏହାକୁ ଆଉ ପାଦେ ଆଗକୁ ନେଇ, ଜୁନ୍ ୨୦୨୬ରେ ଆଉ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇ ରେରା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଅବିକ୍ରିତ ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜୀକରଣ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସର୍ତ୍ତ ଓ ସୁରକ୍ଷା ବ୍ୟବସ୍ଥା ସହ ଅନୁମତି ପ୍ରଦାନ କରାଯାଇଛି। ଏହି ପଦକ୍ଷେପ ରାଜ୍ୟର ହଜାର ହଜାର ଆପାର୍ଟମେଣ୍ଟ ମାଲିକ ଏବଂ ଘର କ୍ରେତାଙ୍କ ପୁରୁଣା ସମସ୍ୟାର ସମାଧାନ କରିଛି।ନିୟାମକ ଢାଞ୍ଚାକୁ ଆହୁରି ସୁଦୃଢ଼ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଜାରି କରାଯାଇଛି। ଏହି SOP ଆବାସିକ, ବ୍ୟବସାୟିକ ଏବଂ ମିଶ୍ରିତ ବ୍ୟବହାର ଭିତ୍ତିକ ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକର ପଞ୍ଜୀକରଣ ପାଇଁ ଏକ ସମାନ ଓ ସ୍ୱଚ୍ଛ ବ୍ୟବସ୍ଥା ନିର୍ଦ୍ଧାରଣ କରିବା ସହ ଡେଭଲପର, ଆପାର୍ଟମେଣ୍ଟ ଆସୋସିଏସନ, କର୍ତ୍ତୃପକ୍ଷ ଏବଂ ପଞ୍ଜୀକରଣ ଅଧିକାରୀମାନଙ୍କ ଦାୟିତ୍ୱକୁ ସ୍ପଷ୍ଟ ଭାବେ ବୁଝାଇଛି। ଏହି ବ୍ୟବସ୍ଥା ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ, ୨୦୨୩ ଏବଂ ରେରା (RERA) ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିବା ସହ ଆପାର୍ଟମେଣ୍ଟ କାରବାରରେ ସ୍ୱଚ୍ଛତା ଆଣିବ।

ଏହି SOP ଅଧୀନରେ ଆପାର୍ଟମେଣ୍ଟ ହସ୍ତାନ୍ତର ଦଲିଲ୍ ପଞ୍ଜୀକରଣ ପୂର୍ବରୁ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ ଓ ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପଞ୍ଜୀକରଣ ପ୍ରଣାଳୀ ମାଧ୍ୟମରେ ଦଲିଲଗୁଡ଼ିକର ଡିଜିଟାଲ ପ୍ରେରଣ ଏବଂ ‘ସୁଯୋଗ’ (SUJOG) ପୋର୍ଟାଲ ସହ ଏହାର ସଂଯୋଗୀକରଣ କାର୍ଯ୍ୟକ୍ଷମତା, ସ୍ୱଚ୍ଛତା ଓ ସେବା ପ୍ରଦାନ ପ୍ରକ୍ରିୟାକୁ ଆହୁରି ଉନ୍ନତ କରିବ।
PMAY-U 2.0 ଅଧୀନରେ ବ୍ୟାପକ ସହରାଞ୍ଚଳ ସଂସ୍କାରର ଏକ ଅଂଶ ସ୍ୱରୂପ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶାରେ ଏକ ପ୍ରଶାସନିକ ଭଡ଼ା ବ୍ୟବସ୍ଥା ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ମଡେଲ ଟେନାନ୍ସି ଆକ୍ଟ (Model Tenancy Act) ଆଧାରରେ ଏକ ଚିଠା ଆଇନ ପ୍ରସ୍ତୁତ କରାଯାଇ ସର୍ବସାଧାରଣଙ୍କ ମତାମତ ପାଇଁ ଉପଲବ୍ଧ କରାଯାଇଛି, ଯାହା ‘ପ୍ରସ୍ତାବିତ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଆକ୍ଟ, ୨୦୨୬’ ଭାବେ ନାମିତ। ଏହି ପ୍ରସ୍ତାବିତ ଆଇନ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସନ୍ତୁଳିତ ଓ ସ୍ୱଚ୍ଛ କରିବା ସହ ନ୍ୟାୟୋଚିତ ଭଡ଼ା ଚୁକ୍ତିନାମା ସ୍ୱାକ୍ଷର, ଭଡ଼ା ଘରର ଉପଲବ୍ଧତା ବୃଦ୍ଧି ଏବଂ ବିବାଦର ସହଜ ସମାଧାନ ପାଇଁ ସହାୟକ ହେବ। ଆଇନକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ସର୍ବସାଧାରଣ ଏବଂ ସ୍ଵାର୍ଥସମ୍ବଳିତ ପକ୍ଷମାନଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଛି।

ଏହା ସହିତ ବିଭାଗ ପକ୍ଷରୁ ନଗର ଯୋଜନା ଓ ବିକାଶ ନିୟମାବଳୀରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍କାର କରାଯାଇଛି। ‘ଓଡ଼ିଶା ବିକାଶ କର୍ତ୍ତୃପକ୍ଷ (ଯୋଜନା ଓ ଭବନ ନିର୍ମାଣ ମାନକ) ନିୟମାବଳୀ’ ଏବଂ ‘ଓଡ଼ିଶା ନଗର ଯୋଜନା ଓ ଉନ୍ନୟନ ଟ୍ରଷ୍ଟ (ଯୋଜନା ଓ ଭବନ ନିର୍ମାଣ ମାନକ) ନିୟମାବଳୀ’ରେ ସଂଶୋଧନ କରାଯାଇ ପ୍ଲଟର ଆଂଶିକ ବିକ୍ରି (Part-plot sales) ଏବଂ ସବ୍-ଡିଭିଜନ ପ୍ରକ୍ରିୟାକୁ ନାଗରିକମାନଙ୍କ ପାଇଁ ସରଳ କରାଯାଇଛି।ସଂଶୋଧିତ ନିୟମ ଅନୁଯାୟୀ, ପାରିବାରିକ ଭାଗବଣ୍ଟା ଜନିତ ସବ୍-ଡିଭିଜନ ପାଇଁ ଲେ-ଆଉଟ୍ ଅନୁମୋଦନର ଆବଶ୍ୟକତାକୁ ଉଠାଇ ଦିଆଯାଇଛି ଏବଂ ୫୦୦ ବର୍ଗ ମିଟରରୁ କମ୍ ଥିବା ପ୍ଲଟଗୁଡ଼ିକର ସବ୍-ଡିଭିଜନ ପାଇଁ କେତେକ ସର୍ତ୍ତ ସାପେକ୍ଷ ଏକକାଳୀନ ଛାଡ଼ ପ୍ରଦାନ କରାଯାଇଛି। ସମାନ ଧରଣର କୋହଳ ବ୍ୟବସ୍ଥା ଅଂଶୀଦାର ଏବଂ ନିୟମାବଳୀ ଜାରି ହେବା ପୂର୍ବରୁ ଥିବା ପ୍ଲଟଗୁଡ଼ିକ ପାଇଁ ମଧ୍ୟ ଲାଗୁ କରାଯାଇଛି। କେବଳ କୃଷି କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଜମିଗୁଡ଼ିକୁ ମଧ୍ୟ ଏହି ନିୟମରୁ ବାଦ୍ ଦିଆଯାଇଛି। ଏହି ସଂସ୍କାର ଦ୍ୱାରା ଆଇନଗତ ଜଟିଳତା ହ୍ରାସ ପାଇବ, ଉତ୍ତରାଧିକାର ସୂତ୍ରରେ ଜମି ହସ୍ତାନ୍ତର ସହଜ ହେବ ଏବଂ ହଜାର ହଜାର ନାଗରିକଙ୍କ ସମ୍ପତ୍ତି ମାଲିକାନା ପ୍ରକ୍ରିୟା ସୁଗମ ହେବ।

ବିଭାଗ ପକ୍ଷରୁ ଯୋଜନା ଓ ନିର୍ମାଣ ନିୟମାବଳୀରେ ସଂଶୋଧନ କରାଯାଇ ବିକାଶ ପ୍ରକ୍ରିୟାକୁ ସରଳ କରିବା ସହ ବ୍ୟବସାୟିକ ସହଜତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ସଂସ୍କାରଗୁଡ଼ିକ ମଧ୍ୟରେ ପାର୍କିଂ ଆବଶ୍ୟକତାର ଯୁକ୍ତିଯୁକ୍ତକରଣ, ଅନୁମୋଦନ ପ୍ରକ୍ରିୟାର ସରଳୀକରଣ ଏବଂ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟାଉଥିବା ସମସ୍ୟାଗୁଡ଼ିକର ସମାଧାନ ସାମିଲ ରହିଛି। ଏହି ପଦକ୍ଷେପଗୁଡ଼ିକ ନିରାପତ୍ତା ଓ ଯୋଜନାବଦ୍ଧ ମାନଦଣ୍ଡ ବଜାୟ ରଖି ସହରଗୁଡ଼ିକର ସୁବ୍ୟବସ୍ଥିତ ବିକାଶରେ ସହାୟକ ହେବ।ଏହି ସଂସ୍କାର ସମ୍ପର୍କରେ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି:”ଏହି ସଂସ୍କାରଗୁଡ଼ିକ ଓଡ଼ିଶାରେ ଏକ ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ନାଗରିକ-କୈନ୍ଦ୍ରିକ ସହରାଞ୍ଚଳ ଶାସନ ଢାଞ୍ଚା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୨୦୨୩ ମସିହାରେ ଆପାର୍ଟମେଣ୍ଟ ଆକ୍ଟ ପ୍ରଣୟନ ହେବା ପରଠାରୁ ଆପାର୍ଟମେଣ୍ଟ ପଞ୍ଜୀକରଣ, ମାଲିକାନା ଅଧିକାର ଓ ହସ୍ତାନ୍ତର ସମ୍ପର୍କିତ ସମସ୍ୟା ଅନେକ ନାଗରିକଙ୍କ ପାଇଁ ଅସମାହିତ ହୋଇ ରହିଥିଲା। ଏହି ସଂସ୍କାର ମାଧ୍ୟମରେ ଆମେ ଆପାର୍ଟମେଣ୍ଟ ମାଲିକ ଓ କ୍ରେତାମାନଙ୍କର ଦୀର୍ଘ ଦିନର ସମସ୍ୟାର ସମାଧାନ କରିବା ସହ ନିୟାମକ ଅନୁପାଳନ ଏବଂ ସେବା ପ୍ରଦାନକୁ ସୁଦୃଢ଼ କରିଛୁ। ଏଥି ସହିତ ଆମେ ଏକ ଆଧୁନିକ ଭଡ଼ା ଘର ବ୍ୟବସ୍ଥାର ମୂଳଦୁଆ ପକାଉଛୁ, ଯାହା ଘର ମାଲିକ ଓ ଭଡ଼ାଟିଆ ଉଭୟଙ୍କ ସ୍ୱାର୍ଥର ସନ୍ତୁଳନ ରକ୍ଷା କରିବ।”

ଆଗାମୀ ଯୋଜନା ସମ୍ପର୍କରେ ବିଭାଗ ପକ୍ଷରୁ ଅନେକ ପ୍ରଗତିଶୀଳ ପଦକ୍ଷେପ ଉପରେ କାର୍ଯ୍ୟ କରାଯାଉଛି। ସହରଗୁଡ଼ିକରେ ଟ୍ରାଫିକ ସମସ୍ୟା ହ୍ରାସ କରିବା ଏବଂ ସହରୀ ଜଗାର ସଠିକ୍ ବ୍ୟବହାର ପାଇଁ ଏକ ସାମଗ୍ରିକ ‘ପାର୍କିଂ ପଲିସି’ ଲାଗୁ କରିବାକୁ ପ୍ରସ୍ତୁତି ଚାଲିଛି। ଏହା ସହିତ ପାଇପ୍ ପ୍ରାକୃତିକ ଗ୍ୟାସ (PNG) ନେଟୱର୍କର ସମ୍ପ୍ରସାରଣ ଏବଂ ସହରାଞ୍ଚଳରେ ସ୍ୱଚ୍ଛ ତଥା ନିରନ୍ତର ଶକ୍ତି ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ନଗର ଯୋଜନା ଢାଞ୍ଚାରେ ‘ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ’ (CGD) ଭିତ୍ତିଭୂମିକୁ ସାମିଲ କରାଯାଇଛି।ଆପାର୍ଟମେଣ୍ଟ ଆକ୍ଟ, ୨୦୨୩ ର କାର୍ଯ୍ୟକାରିତାକୁ ଆହୁରି ସୁଦୃଢ଼ କରିବା ଏବଂ ବ୍ୟବହାରିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସରକାର ଏଥିରେ କେତେକ ସଂଶୋଧନ କରିବା ଉପରେ ମଧ୍ୟ ବିଚାର କରୁଛନ୍ତି। ଏଥି ସହିତ, ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଭାରତ ସରକାରଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି (Special Assistance funds) ହାସଲ କରିବା ନିମନ୍ତେ ବିଡିଏ (BDA), ସିଡିଏ (CDA) ଏବଂ ମହାନଗର ନିଗମଗୁଡ଼ିକୁ ପ୍ରକଳ୍ପ ପ୍ରସ୍ତାବ ଦେବାକୁ ଅନୁରୋଧ କରାଯାଇଛି।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଅଧୀନରେ, ରାଜ୍ୟରେ ଏକ ସମନ୍ୱିତ ଏବଂ ଦକ୍ଷ ଯୋଜନା ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ‘ଓଡ଼ିଶା ବିକାଶ କର୍ତ୍ତୃପକ୍ଷ ଅଧିନିୟମ, ୧୯୮୨’ ଏବଂ ‘ଓଡ଼ିଶା ନଗର ଯୋଜନା ଓ ଉନ୍ନୟନ ଟ୍ରଷ୍ଟ ଅଧିନିୟମ, ୧୯୫୬’ର ମିଶ୍ରଣ ପ୍ରସ୍ତାବ ପରୀକ୍ଷା କରାଯାଉଛି। ଏହି ପ୍ରସ୍ତାବିତ ସଂସ୍କାର ଅନୁଷ୍ଠାନିକ ଦକ୍ଷତା ବୃଦ୍ଧି କରିବା ସହ ନିୟାମକ ଜଟିଳତା ହ୍ରାସ କରିବ ଏବଂ ସହରାଞ୍ଚଳ ଯୋଜନା ପରିଚାଳନାକୁ ଅଧିକ ସୁଦୃଢ଼ କରିବ।ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି:”ସହରାଞ୍ଚଳ ଶାସନକୁ ଆଧୁନିକ କରିବା ଏବଂ ସରକାରୀ ସେବାଗୁଡ଼ିକୁ ଆହୁରି ନାଗରିକ-କୈନ୍ଦ୍ରିକ, ସ୍ୱଚ୍ଛ ଓ ଦକ୍ଷ କରିବା ପାଇଁ ଏହି ସଂସ୍କାରଗୁଡ଼ିକ ଏକ ବ୍ୟାପକ ଆଭିମୁଖ୍ୟର ଅଂଶବିଶେଷ। ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରି, ଛୋଟ ପ୍ଲଟଗୁଡ଼ିକର ସବ୍-ଡିଭିଜନକୁ ନିୟମମୁକ୍ତ କରି ଏବଂ ଯୋଜନା ନିୟମାବଳୀକୁ ସୁଗମ କରି ଆମେ ନାଗରିକମାନଙ୍କ ସମସ୍ୟା ହ୍ରାସ କରୁଛୁ ଏବଂ ସହରଗୁଡ଼ିକର ଶୃଙ୍ଖଳିତ ବିକାଶକୁ ସୁନିଶ୍ଚିତ କରୁଛୁ। ବର୍ତ୍ତମାନ ଆହୁରି ଅନେକ ସଂସ୍କାରମୂଳକ ପଦକ୍ଷେପ ପ୍ରକ୍ରିୟାଧୀନ ରହିଛି, ଯାହା ଆଗାମୀ ଦିନରେ ପ୍ରକ୍ରିୟାକୁ ଆହୁରି ସରଳ କରିବ, ନାଗରିକଙ୍କ ଅଧିକାରକୁ ସୁରକ୍ଷିତ କରିବ ଏବଂ ସହରାଞ୍ଚଳ ଓଡ଼ିଶାରେ ଜୀବନଧାରଣର ମାନକୁ ସହଜ କରିବ।”

ସାମଗ୍ରିକ ଭାବେ, ଏହି ସଂସ୍କାରଗୁଡ଼ିକ ଓଡ଼ିଶାର ସହରାଞ୍ଚଳ ଗୃହ ନିର୍ମାଣ, ଯୋଜନା ଏବଂ ଜମି ପରିଚାଳନା କ୍ଷେତ୍ରରେ ବିଗତ ବର୍ଷଗୁଡ଼ିକ ମଧ୍ୟରେ ସବୁଠାରୁ ବଡ଼ ପରିବର୍ତ୍ତନ। ଆପାର୍ଟମେଣ୍ଟ ପଞ୍ଜୀକରଣର ପୁରୁଣା ସମସ୍ୟାର ସମାଧାନ, ମାଲିକାନା ଅଧିକାରର ସୁଦୃଢ଼ୀକରଣ, ଜମି ନିୟମାବଳୀର ସରଳୀକରଣ, ଭଡ଼ା ଘର ଶାସନ ବ୍ୟବସ୍ଥାର ଆଧୁନିକୀକରଣ ଏବଂ ଯୋଜନା ପରିଚାଳନାରେ ଉନ୍ନତି ମାଧ୍ୟମରେ ଏହି ପଦକ୍ଷେପଗୁଡ଼ିକ ରାଜ୍ୟର ଘର କ୍ରେତା, ଆପାର୍ଟମେଣ୍ଟ ମାଲିକ, ଡେଭଲପର, ଭଡ଼ାଟିଆ ଏବଂ ସାଧାରଣ ନାଗରିକଙ୍କୁ ବହୁଳ ଭାବେ ଉପକୃତ କରିବ।ଏହି ସଂସ୍କାରଗୁଡ଼ିକ ଓଡ଼ିଶାରେ ଏକ ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ନାଗରିକ-ଅନୁକୂଳ ସହରାଞ୍ଚଳ ଶାସନ ବ୍ୟବସ୍ଥା ଗଠନ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି, ଯାହା ବାସିନ୍ଦାଙ୍କ ସ୍ୱାର୍ଥରକ୍ଷା କରିବା ସହ ସହରାଞ୍ଚଳ ଓଡ଼ିଶାରେ ଜୀବନଧାରଣର ମାନ ବୃଦ୍ଧି ଏବଂ ନିରନ୍ତର ସହରୀ ବିକାଶରେ ସହାୟକ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking