ବଲାଙ୍ଗୀର: ଡିଜେ ସାଉଣ୍ଡ ହେଲା କାଳ । ଚାଲିଗଲା ମହିଳାଙ୍କ ଜୀବନ । ଡିଜେ ସାଉଣ୍ଡ ସହ୍ୟ କରିନପାରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ପାଟଣାଗଡ଼ ବ୍ରହ୍ମପୁରା ଅଞ୍ଚଳରେ । ମୃତକଙ୍କ ନାଁ ଲୋଚନା ବହୁକ୍ । ସେ ଗାଁରେ ଏକ ନଳକୂଅ ନିକଟରେ ତାଙ୍କ ନାତୁଣୀକୁ ଗାଧୋଇ ଦେଉଥିବା ବେଳେ ସେହି ରାସ୍ତା ଦେଇ ଏକ ବିବାହ ଶୋଭାଯାତ୍ରା ଯାଉଥିଲା । ପ୍ରବଳ ଜୋରରେ ଡିଜେ ବାଜିବା ସହ ସମସ୍ତେ ନାଚଗୀତରେ ମସଗୁଲ ଥିଲେ ।
ମାତ୍ର ଡିଜେ ସାଉଣ୍ଡ ଯୋଗୁଁ ତାଙ୍କୁ ଅସୁସ୍ଥତା ଅନୁଭବ ହେଉଥିବା ମହିଳା ଜଣକ କହିଥିଲେ । ଡିଜେ ବନ୍ଦ କରିବାକୁ ନେହୁରା ହୋଇଥିଲେ । ମାତ୍ର କେହି ଶୁଣିନଥିଲେ । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ମେଡିକାଲ ଏବଂ ପରେ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଡିଜେ ସାଉଣ୍ଡରେ ତାଙ୍କ ମସ୍ତିସ୍କରେ ଏକ ଭେନ୍ ଫାଟି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମହିଳା ଜଣକ ରାସ୍ତା କଡ଼ରେ ଏକ ଛୋଟ ହୋଟେଲ କରି ପରିବାର ଚଳାଉଥିଲେ । ତାଙ୍କ ମୃତ୍ୟୁ ପରେ ପୂରା ପରିବାର ବେସାହାରା ହୋଇପଡ଼ିଛି ।










