35.9 C
Bhubaneswar
Friday, June 19, 2026
Homeଓଡିଶାକାଠଯୋଡ଼ି ରେଳ ସେତୁରୁ ଖସିପଡ଼ି ଫ୍ଲାଗମ୍ୟାନଙ୍କ ମୃତ୍ୟୁ

କାଠଯୋଡ଼ି ରେଳ ସେତୁରୁ ଖସିପଡ଼ି ଫ୍ଲାଗମ୍ୟାନଙ୍କ ମୃତ୍ୟୁ

କଟକ: କଟକର କାଠଯୋଡ଼ି ନଦୀ ଉପରେ ଥିବା ରେଳ ସେତୁରେ ଘଟିଛି ଏକ ଦୁଃଖଦ ଘଟଣା । ଡ୍ୟୁଟିରେ ଥିବାବେଳେ ପ୍ରାୟ ୫୦ ଫୁଟ୍ ଉଚ୍ଚତାରୁ ତଳକୁ ଖସିପଡ଼ି ଜଣେ ରେଳବାଇ ଫ୍ଲାଗମ୍ୟାନଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ରେଳବାଇ କର୍ମଚାରୀ ମହଳ ଓ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ମୃତକ ହେଲେ ଯାଜପୁର ଜିଲ୍ଲାର ସୁବାସ ରାହୁଲ । ସେ ରେଳବାଇରେ ଫ୍ଲାଗମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ, କାଠଯୋଡ଼ି ରେଳ ସେତୁ ନିକଟରେ ସେ ନିଜ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ହଠାତ୍ ଅସାବଧାନତା ବଶତଃ ସନ୍ତୁଳନ ହରାଇ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡ଼ିଥିଲେ ।

ଘଟଣା ଘଟିବା ପରେ ସହକର୍ମୀ ଓ ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଥିଲେ । ହେଲେ ଗୁରୁତର ଆଘାତ ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ପରିବାର ଲୋକଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଯାଇଛି । ପ୍ରାଥମିକ ତଦନ୍ତରୁ ଡ୍ୟୁଟି ସମୟରେ ଅସାବଧାନତା କିମ୍ବା ସନ୍ତୁଳନ ହରାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣା ପୁଣିଥରେ ରେଳବାଇ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟସ୍ଥଳରେ ସତର୍କତା ପ୍ରସଙ୍ଗକୁ ଆଗକୁ ଆଣିଛି । ବିପଦସଂକୁଳ ସ୍ଥାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଅଧିକ ସୁରକ୍ଷାମୂଳକ ବ୍ୟବସ୍ଥା କରିବାକୁ ଦାବି ଉଠିଛି । ସୁବାସ ରାହୁଲଙ୍କ ଅକାଳ ବିୟୋଗରେ ସହକର୍ମୀ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking