ଭୁବନେଶ୍ୱର : ଓଡ଼ିଶାରେ ଶିକ୍ଷକ ନିଯୁକ୍ତି କରି ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଥିବା ନେଇ ବାହାସ୍ଫୋଟ ମାରୁଥିବା ବିଜେପି ସରକାରର ଅସଲ ମୁଖା ଖୋଲିଯାଇଛି । ଗତ ୨ ବର୍ଷରେ ୩୬ ହଜାର ଶିକ୍ଷକ ନିଯୁକ୍ତି ହୋଇଥିବା ନେଇ ବିଜେପିର ଦାବି ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବିବୃତିରେ କହିଛନ୍ତି ଯେ, ବିଜେପି ସରକାର ଗତ ଦୁଇ ବର୍ଷରେ ୩୬,୦୦୦ ଶିକ୍ଷକ ନିଯୁକ୍ତି ଦେଇଛନ୍ତି ଏବଂ ଚଳିତ ବର୍ଷ ଆଉ ୧୮,୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଆଇନ ମନ୍ତ୍ରୀ ଦେଇଥିବା ବିବୃତି ସମ୍ପୂର୍ଣ୍ଣ ମିଥ୍ୟା, କେବଳ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ସେ ଶିକ୍ଷକ ନିଯୁକ୍ତି ନେଇ ଦାବି ଉପସ୍ଥାପନା କରୁଛନ୍ତି । ବିଧାନସଭାରେ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ସରକାର ରାଜ୍ୟରେ ମୋଟ ବିଭିନ୍ନ ବିଭାଗରେ ୩୯,୫୦୫ କର୍ମଚାରୀ ନିଯୁକ୍ତି କରିଛନ୍ତି । ତେବେ ସରକାର କେମିତି ୩୬ ହଜାର ଶିକ୍ଷକ ନିଯୁକ୍ତି ନେଇ ଆଇନ ମନ୍ତ୍ରୀ ଦାବି କରୁଛନ୍ତି ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ ।
ପୂର୍ବ ବିଜେଡି ସରକାର ସମୟରେ ୧୦.୦୯.୨୦୨୩ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ୧୬,୦୦୯ ଜଣ ଶିକ୍ଷକ ନିଯୁକ୍ତି ନେଇ ପ୍ରକି୍ରୟା ଶେଷ ପର୍ଯ୍ୟାୟରେ ଥିଲା ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଥିଲେ । କିନ୍ତୁ ବିଜେପି କ୍ଷମତାକୁ ଆସିଲା ପରେ କେବଳ ନିଯୁକ୍ତି ପତ୍ର ବାଣ୍ଟି ସରକାର ଏହା ନିଜର ସଫଳତା ବୋଲି ଦାବି କରୁଛନ୍ତି । ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟକୁ ଆଇନ ମନ୍ତ୍ରୀ ଗ୍ରହଣ ନ କରି ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଊଦ୍ଧ୍ୱର୍ରେ ରହିଥିବା ଦର୍ଶାଇ ତାଙ୍କ ଉତ୍ତରକୁ କାଉଣ୍ଟର କରୁନାହାନ୍ତି ତ? ୨୦୨୪ ସାଧାରଣ ନିର୍ବାଚନରେ ୧.୫ ଲକ୍ଷ ଖାଲି ଥିବା ସରକାରୀ ପଦବୀ ପୂରଣ ନେଇ ବିଜେପି ପ୍ରତିଶ୍ରୁତି ଦେଇଥିଲା । କ୍ଷମତାକୁ ଆସିବାର ୨ ବର୍ଷ ବିତିଯାଇଥିଲେ ମଧ୍ୟ ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି । ସ୍ୱଚ୍ଛତା ଓ ନ୍ୟାୟସଙ୍ଗତ ଭାବେ ନିଯୁକ୍ତି ଦେବାକୁ ଦାବି କରୁଥିବା ବିଜେପି ସରକାରରେ ଗତ ୨ ବର୍ଷରେ ୨୩ଟି ପରୀକ୍ଷାରେ ବିଭ୍ରାଟ ଘଟି ପରୀକ୍ଷା ବାତିଲ ହୋଇଛି, ଯାହା ଓଡ଼ିଶାର ଶିକ୍ଷିତ ବେକାରୀ ଯୁବକ ଓ ଯୁବତୀ ମାନଙ୍କ ବିଶ୍ୱାସ ପ୍ରତି କୁଠାରଘାତ କରିଛି । ସରକାର ମେଧାବୀ ଯୁବକ ଯୁବତୀ ମାନଙ୍କ ପାଇଁ ସ୍ୱଚ୍ଛତାର ସହ ନିଯୁକ୍ତି ପ୍ରକି୍ରୟାକୁ ତ୍ୱରାନ୍ୱିତ କରିବା ସହ ଖାଲିଥିବା ସରକାରୀ ପଦବୀ ତୁରନ୍ତ ପୂରଣ କରନ୍ତୁ ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଓଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ବିଜେପି ଓଡ଼ିଶାର ଭବିଷ୍ୟତକୁ ନଷ୍ଟ କରିବା ପାଇଁ ସୁଚିନ୍ତିତ ଯୋଜନାରେ ସଫଳ ହୋଇଛି । ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପାଠ୍ୟପୁସ୍ତକରେ ୧୭୬୦ଟି ଭୁଲ୍ ଥିବା ପୁସ୍ତକ ବଣ୍ଟନ କରାଯାଇଛି । ତ୍ରୁଟିପୂର୍ଣ୍ଣ ପୁସ୍ତକ ସରକାରଙ୍କ ନଜରକୁ ଆସିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତକାଲି ଜରୁରୀ ବୈଠକ ଡାକି ଘୋଷଣା କରିଥିଲେ, ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ୭ ଦିନ ଭିତରେ ଦୋଷୀ ମାନଙ୍କୁ ଦଣ୍ଡ ଦିଆଯିବ । ମାତ୍ର ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏସ୍ସିଇଆରଟି ଡାଇରେକ୍ଟରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକୁ ବେଖାତିର କରି ଗଣମାଧ୍ୟମରେ କହିଛନ୍ତି ଯେ, ତ୍ରୁଟିପୂର୍ଣ୍ଣ ପୁସ୍ତକକୁ ପରିବର୍ତ୍ତନ କରାଯିବ ନାହିଁ । ପିଲାମାନେ ସଂଶୋଧନ କରି ତ୍ରୁଟିପୂର୍ଣ୍ଣ ବହିରେ ପାଠ ପଢ଼ିବେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକୁ ଖାତିର କରୁନାହାନ୍ତି ।










