ପୁରୀ: ଓଡ଼ିଶାର ଗଣପର୍ବ ରଜର ଆଜି ଶେଷ ଦିନ । ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଭକ୍ତଙ୍କ ଭିଡ଼ ଜମିଥିବାବେଳେ ପୁରୀ ଜିଲ୍ଲା କାକଟପୁର ସ୍ଥିତ ପ୍ରସିଦ୍ଧ ମାଆ ମଙ୍ଗଳାଙ୍କ ପୀଠରେ ଦେଖିବାକୁ ମିଳିଛି ଅସମ୍ଭାଳ ଜନସମାଗମ । ଶେଷ ରଜ ଅବସରରେ ମାଆଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିର ପରିସରରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଛି । ଆଜିର ଏହି ବିଶେଷ ଅବସରରେ ମାଆ ମଙ୍ଗଳା ଲକ୍ଷ୍ମୀ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଆକର୍ଷଣୀୟ ପୁଷ୍ପ ସଜ୍ଜା, ସୁବର୍ଣ୍ଣ ଆଭୂଷଣ ଏବଂ ମନୋରମ ଅଳଙ୍କାରରେ ମାଆଙ୍କ ଦିବ୍ୟ ରୂପ ଭକ୍ତମାନଙ୍କୁ ଭାବବିହ୍ୱଳ କରୁଛି । ମାଆଙ୍କ ଏହି ଅପୂର୍ବ ବେଶ ଦେଖିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଛୁଟି ଆସୁଛନ୍ତି । ଭକ୍ତମାନେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦୀପଦାନ କରୁଛନ୍ତି । ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ମାଆଙ୍କ ନିକଟରେ ମନାସିକ ରଖୁଛନ୍ତି ଶ୍ରଦ୍ଧାଳୁ ।
ରଜ ପର୍ବର ଶେଷ ଦିନରେ ମାଆଙ୍କ ଆଶୀର୍ବାଦ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଓ ସ୍ୱେଚ୍ଛାସେବୀମାନେ ନିୟୋଜିତ ରହିଛନ୍ତି । ଲୋକବିଶ୍ୱାସ ରହିଛି ଯେ, ଶେଷ ରଜ ଦିନ ମାଆ ମଙ୍ଗଳାଙ୍କ ଦର୍ଶନ କରି ଦୀପଦାନ କଲେ ମନୋକାମନା ପୂରଣ ହୋଇଥାଏ ।










