ଭୁବନେଶ୍ୱର: ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।ଏକ ପ୍ରେସ ବିବୃତ୍ତିରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଗୁଣୁପୁର ନିର୍ବାଚନମଣ୍ଡଳୀ ତଥା ଦକ୍ଷିଣ ଓଡିଶାର ଅନ୍ୟତମ ଜନପି୍ରୟ ନେତା ଥିଲେ ରାମମୂର୍ତ୍ତୀ ଗମାଙ୍ଗ । ସ୍ୱର୍ଗତଃ ଗମାଙ୍ଗ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ଗୁଣୁପୁର ନିର୍ବାଚନମଣ୍ଡଳୀରେ ଅଣକଂଗ୍ରେସ ରାଜନୀତିରେ ମଜଭୁତ ଭିତ୍ତି ସ୍ଥାପନ କରିବା ସହ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ । ଜଣେ ଦକ୍ଷ ସଂଗଠକ, ସରଳ ବ୍ୟକ୍ତିତ୍ୱ ଓ ଜନପ୍ରିୟ ନେତା ଭାବରେ ସେ ସର୍ବଦା ଲୋକଙ୍କ ହୃଦୟରେ ଅମର ରହିବେ । ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଆମର ଆନ୍ତରିକ ସମବେଦନା ଜ୍ଞାପନ କରୁଛୁ ।










