ଭୁବନେଶ୍ୱର: ଯେବେ ପର୍ଯ୍ୟନ୍ତ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ମିଳିବ ନାହିଁ, ସେ ପର୍ଯ୍ୟନ୍ତ ନେବିନି ବିଧାୟକ ଭତ୍ତା । ଭତ୍ତା ସମସ୍ୟା ରାଜ୍ୟରେ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଥିବା ବେଳେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏଭଳି ଚିଠି ଲେଖିଛନ୍ତି ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ । ସେ ଲେଖିଛନ୍ତି, ୩ ମାସ ହେଲା ରାଜ୍ୟର ୨୨ ଲକ୍ଷ ଅସହାୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା ଓ ସମାଜର ଅବହେଳିତ ବର୍ଗର ଲୋକେ ମାସିକ ସାମାଜିକ ସୁରକ୍ଷା ଭତ୍ତା ପାଇନାହାନ୍ତି । ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମପ୍ରବାହରେ ସେମାନେ ପ୍ରତିଦିନ ବ୍ୟାଙ୍କ, ପଞ୍ଚାୟତ କିମ୍ୱା ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରୁଛନ୍ତି । ଜୀବନରକ୍ଷାକାରୀ ଔଷଧ କିଣିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ଟଙ୍କା ନାହିଁ । ତେବେ ଯେଉଁ ପର୍ଯ୍ୟନ୍ତ ଏହି ୨୨ ଲକ୍ଷ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ଅନ୍ୟ ଅସହାୟ ମାନଙ୍କୁ ସେମାନଙ୍କ ବକେୟା ଭତ୍ତା ଦିଆଯାଇନାହିଁ, ସେ ପର୍ଯ୍ୟନ୍ତ ମୋ ଆକାଉଣ୍ଟକୁ ବିଧାୟକ ଭତ୍ତା ମଧ୍ୟ ଦିଅନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗୌତମ ବୁଦ୍ଧ ଦାସ । ଭତ୍ତା ସମସ୍ୟାକୁ କେବଳ ବ୍ୟବସ୍ଥାଗତ ବା ଯାନ୍ତ୍ରିକ ତ୍ରୁଟି ଜନିତ ସମସ୍ୟା କହି ସରକାର କେତେ ଦିନ ନିରବ ବସିବେ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ।










