କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚିତ ଆତ୍ମହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଟିଥିବା ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣାଯିବା ପରେ ପୁଲିସ ଏବେ ହତ୍ୟା ମାମଲା ରୁଜୁ କରିଛି । ଟାଉନ ଥାନା ପୁଲିସ ମୃତ ଶ୍ରୀଚନ୍ଦନଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀଚନ୍ଦନଙ୍କ ମୃତଦେହ ମିଳିଥିଲା। ପ୍ରାରମ୍ଭିକ ଭାବେ ଏହାକୁ ଆତ୍ମହତ୍ୟା ଘଟଣା ବୋଲି କୁହାଯାଉଥିଲା । ହେଲେ ମୃତକଙ୍କ ପରିବାର ଏହାକୁ ହତ୍ୟା ବୋଲି ଦାବି କରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ ।ପରିବାର ଲୋକଙ୍କ ଅଭିଯୋଗ ହେଉଛି ଯେ, ଘଟଣା ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି ଏବଂ ସତ୍ୟ ଘଟଣାକୁ ଲୁଚାଇବା ପାଇଁ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି । ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୁଲିସ ଏବେ ହତ୍ୟା ଧାରାରେ ମାମଲା ରୁଜୁ କରିଛି । ଘଟଣା ପରେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି । ଘଟଣାସ୍ଥଳର ପ୍ରମାଣ, ସିସିଟିଭି ଫୁଟେଜ୍, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି ।










