ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ( ଓଇଆର୍ସି) ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଗତ ୨୫ ତାରିଖରେ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ର ପୁରୁଣା ହୋଇଗଲାଣି। ହେଲେ ୨୦୨୫ ଏପ୍ରିଲ୍ରେ ସେ ଯୋଗ ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ୫ବର୍ଷ ପୁରିବା ଆଗରୁ ତାଙ୍କୁ ଇସ୍ତଫା ଦେବାକୁ ହେଲା। ତାଙ୍କର ଅପ୍ରତ୍ୟାସିତ ଖବର ସବୁ ମହଲକୁ ଚକିତ କରିଥିଲା। ଏହା ପଛର କାରଣକୁ ନେଇ ଅନେକ ଚର୍ଚ୍ଚା ହେଉଛି। ପ୍ରଶାସନିକ, ରାଜନୈତିକ ଓ କର୍ପୋରେଟ୍ ମହଲରେ ହେଉଥିବା ଚର୍ଚ୍ଚା ମଧ୍ୟରେ ପ୍ରମୁଖ ବିଷୟରେ କୁହାଯାଉଛି ତାଙ୍କ ଇସ୍ତଫା ପଛର ମୁଖ୍ୟ କାରଣ ହେଉଛି କର୍ପୋରେଟ୍ ଲବି। ଦୁଇ ପ୍ରମୁଖ ଶିଳ୍ପ ସଂସ୍ଥାର ସ୍ୱାର୍ଥ ପାଇଁ ଶେଷର ଏଭଳି ଚାପ ବଢ଼ିଲା ଯାହା ଆଗରେ ସ୍ୱାଭିମାନୀ ପ୍ରଦୀପ ମୁଣ୍ଡ ନ ନୁଆଁଇ ଇସ୍ତଫା ଦେଲେ ବୋଲି ଆଲୋଚନା ହେଉଛି।
ସରକାରଙ୍କ ନିୟମ ଅନୁସାରେ ଓଡ଼ିଶାରେ ଯେକୌଣସି ଶିଳ୍ପ ସଂସ୍ଥା ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ ସେ ତା ଉତ୍ପାଦନର ୨୦ ପ୍ରତିଶତ ବିଦ୍ୟୁତ୍ ମାଗଣାରେ ରାଜ୍ୟ ସରକାରଙ୍କୁ ଦେବ। ଏଥିସହ ସୁରେଶ ମହାପାତ୍ର ଶକ୍ତି ବିଭାଗର ସଚିବ ଥିଲାବେଳେ ଆଉ କିଛି ପ୍ରତିଶତ ମାଗଣା ବିଦ୍ୟୁତ୍ ମିଳିବା ନେଇ ନିୟମ ଜାରି କରିଥିବା କଥା କୁହାଯାଉଛି। ଏଥିରେ ରାଜ୍ୟର କୋଇଲା, ରାସ୍ତା ଓ ରେଳପଥ ବ୍ୟବହାର କରୁଥିବାରୁ ଏବଂ ପରିବେଶ ହାନି ମଧ୍ୟ ପ୍ରକଳ୍ପ ଯୋଗୁ ଘଟୁଥିବାରୁ ଏସବୁ ପାଇଁ ଅଧିକ୧୦ ପ୍ରତିଶତ ବିଦ୍ୟୁତ୍ ଦେବାକୁ ନୂଆ ନିୟମ ହୋଇଥିଲା। ଗତ ସରକାରଙ୍କ ସମୟରେ ହୋଇଥିବା ନିୟମ ଅନୁସାରେ ଓଡ଼ିଶାରେ ନିଜସ୍ୱ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରୁଥିବା ଶିଳ୍ପସଂସ୍ଥା ଉତ୍ପାଦନର ୩୦ ପ୍ରତିଶତ ଓଡ଼ିଶାକୁ ଦେବେ। ଅନେକ ବିଦ୍ୟୁତ୍ ଉତ୍ପାଦନକାରୀ ଶିଳ୍ପସଂସ୍ଥା ଏଥିରେ ଖିଲାପ କରି ଚାଲିଛନ୍ତି। ଅଭିଯୋଗ ଅନୁସାରେ ବେଦାନ୍ତ ଶିଳ୍ପସଂସ୍ଥା ପ୍ରମୁଖ ଖିଲାପକାରୀ ତାଲିକାରେ ଥିଲାବେଳେ ଆଉ ଏକ ଶିଳ୍ପସଂସ୍ଥା ଥିବା କୁହାଯାଉଛି। ଶିଳ୍ପସଂସ୍ଥାମାନଙ୍କ ଖିଲାପ ଯୋଗୁ ଗୋଟିଏ ପଟରେ ରାଜ୍ୟକୁ କମ୍ ବିଦ୍ୟୁତ୍ ମିଳୁଛି ଓ ଅନ୍ୟପଟରେ ରାଜସ୍ୱହାନୀ ମଧ୍ୟ ଘଟୁଛି। ସରକାର ଅଧିକ ଦରରେ ଅନ୍ୟଠୁ ବିଦ୍ୟୁତ୍ କିଣି ରାଜ୍ୟର ଅବଶ୍ୟକତାକୁ ଭରଣା କରୁଛନ୍ତି। ପ୍ରାୟ ବର୍ଷକୁ ୨ ହଜାରରୁ ୩ ହଜାର କୋଟି ଟଙ୍କା ସରକାର ହରାଉଥିବା କଥା ମଧ୍ୟ ଉଠୁଛି। ଆସିଥିବା ଅଭିଯୋଗକୁ ଭିତ୍ତିକରି ଓଇଆର୍ସିରେ ବେଦାନ୍ତ ସମ୍ପର୍କରେ ଶୁଣାଣି ହୋଇଥିଲା। ଶୁଣାଣିକୁ ଭିତ୍ତିକରି ଆବଶ୍ୟକୀୟ ଦେୟ ଓ ଜୋରିମାନା ଦେବା ପାଇଁ ଓଇଆର୍ସି ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ଶିଳ୍ପସଂସ୍ଥାମାନେ ଦେୟ ଦେବା ସପକ୍ଷରେ ନଥିଲେ। ବାରମ୍ବାର ନୋଟିସ୍ ଯିବା ପରେ ସେମାନେ ଏକାଠି ହୋଇଥିଲେ ବୋଲି ଆଲୋଚନା ହେଉଛି।
ଏଥିନେଇ ପ୍ରଦୀପଙ୍କ ଉପରେ ଅନେକ ଚାପ ସୃଷ୍ଟି ହୋଇଥିଲା। ଆଉ ନୋଟିସ୍ ନପଠାଇବା ପାଇଁ ଆଉ ମାମଲାକୁ ଆଗକୁ ନ ବଢ଼ାଇବାକୁ କୁହାଯାଇଥିଲା। ହେଲେ ଲୋକଙ୍କ ସ୍ୱାର୍ଥ ଜଡ଼ିତ ଥିବାରୁ ଏବଂ ରାଜକୋଷକୁ କ୍ଷତି ଘଟାଉଥିବାରୁ ପ୍ରଦୀପ ମୁଣ୍ଡ ନଥିଲେ। ଏକଥା ବି ଆଲୋଚନା ହେଉଛି କର୍ପୋରେଟ୍ ଲବିକୁ ଏହି କାର୍ଯ୍ୟରେ ରାଜ୍ୟ ସରକାରଙ୍କର ଦୁଇଜଣ ଆଇଏଏସ୍ ଅଫିସର୍ ସାହାଯ୍ୟ କରିଥିଲେ। ଗତ ସରକାରରେ ଖାସ୍ ହୋଇ ରହିଥିବା ଏହି ଅଫିସର୍ ଏ ସରକାରରେ ପାଖ ଅଧିକାରୀ ସାଜିଛନ୍ତି। ସେମାନେ କମ୍ପାନୀ ପାଇଁ ସରକାରଙ୍କୁ ଏଭଳି ଭାବରେ ପ୍ରଭାବିତ କଲେ ଯେଉଁଥିରେ ପ୍ରଦୀପଙ୍କ ଉପରେ ଉପରସ୍ତରରୁ ଚାପ ଅଧିକ ବଢ଼ିଲା। ଏପରିକି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଦିଗରେ ବିଶେଷ ପଦକ୍ଷେପ ନ ନେବା ପାଇଁ ବାର୍ତ୍ତା ଆସିଥିବା କଥା କେହି କେହି କହୁଛନ୍ତି।
ଯଦିଓ କେତେଦୂର ସତ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଶିଳ୍ପସଂସ୍ଥାମାନଙ୍କ ଉପରେ ଯେଉଁ ୩୦ ପ୍ରତିଶତ ବିଦ୍ୟୁତ୍ ଦେବାର ବ୍ୟବସ୍ଥା ରହିଛି ତାହାକୁ ହ୍ରାସ କରିବା ପାଇଁ ଯୋଜନା କରାଯାଇଛି। ସରକାର ଯଦି ଏଭଳି ପଦକ୍ଷେପ ବାସ୍ତବରେ ନେଇଥିବେ କି ନେବାକୁ ଯାଉଥିବେ ତାହାହେଲେ ରାଜ୍ୟ ପାଇଁ ଅତ୍ୟନ୍ତ ସାଂଘାତିକ ପରିସ୍ଥିତି ଆଣିବ। ଓଡ଼ିଶାର ଉପଭୋକ୍ତା ଯେତିକି ମୂଲ୍ୟରେ ଏବେ ବିଦ୍ୟୁତ୍ ପାଉଛନ୍ତି ତାହା ବହୁ ଗୁଣରେ ବଢ଼ିଯିବ। ଲୋକଙ୍କ ସ୍ୱାର୍ଥ ଓ ଲୋକଙ୍କ ସରକାର କହୁଥିବା ବିଷୟ ଚୂଲିକି ଯିବ। ଏହି ଘଟଣାରେ ଯେହେତୁ ସରକାର, ପ୍ରଶାସନିକ ଅଧିକାରୀ ଓ କର୍ପୋରେଟ୍ ସଂସ୍ଥା ସଂପୃକ୍ତ ଅଛନ୍ତି ତେବେ ଘଟଣାର ଅଭିଯୋଗ ହେଲେ ବି କିଏ ତଦନ୍ତ କରିବ ଓ ସତ୍ୟତା ଲୋକଲୋଚନକୁ ଆସିବ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ।










