ଭୁବନେଶ୍ୱର: ମାତୃଭାଷା, ଲୋକସାହିତ୍ୟ ଓ ଲୋକସଂସ୍କୃତି କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡ଼. ମହେନ୍ଦ୍ର କୁମାର ମିଶ୍ରଙ୍କୁ ଓଡ଼ିଆ ଭରଚୁଆଲ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି | ସି୍ୱାଇଏସଡ଼ି ସଭାଗୃହରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରସିଦ୍ଧ ପୋଥିବିଜ୍ଞାନୀ ଡ଼. ପ୍ରଫୁଲ୍ଲ କୁମାର ମିଶ୍ର, ଶାନ୍ତିନିକେତନର ପ୍ର. ହରେକୃଷ୍ଣ ମିଶ୍ର ଓ ପୂର୍ବତନ ସୂଚନା କମିଶନର ସମାଜସେବୀ ଜଗଦାନନ୍ଦଙ୍କ ଗହଣରେ ଡ଼. ମିଶ୍ରଙ୍କୁ ଅଙ୍ଗବସ୍ତ୍ର ତଥା ପୁଷ୍ପଚାରା ପ୍ରଦାନପୁର୍ବକ ସମ୍ବର୍ଦ୍ଧିତ କରାଯାଇଛି | ଓଡ଼ିଆ ଭରଚୁଆଲ ଏକାଡେମୀର ସଚିବ ଡ଼. ପ୍ରଦୀପ କୁମାର ରାଉତ ଅଧ୍ୟକ୍ଷତା କରି ଏକାଡେମୀର କାର୍ଯ୍ୟକ୍ରମ ପ୍ରସାରଣରେ ଡ଼. ମିଶ୍ରଙ୍କ ମାର୍ଗଦର୍ଶନ ଓ ଅବଦାନର ଅପେକ୍ଷା ରଖି ତାଙ୍କୁ ଓଡ଼ିଆ ଭରଚୁଆଲ ଏକାଡେମୀର “ବ୍ରାଣ୍ଡ ଆମ୍ବାସାଡର” ଘୋଷଣା କରିଥିଲେ |ସମ୍ବର୍ଦ୍ଧନାର ଉତ୍ତର ଦେଇ ଡ଼. ମିଶ୍ର ପ୍ରତ୍ୟେକ ଓଡ଼ିଆ ସ୍ୱାର୍ଥ, ପୁରୁଷାର୍ଥ ଓ ପରମାର୍ଥ ଲକ୍ଷ୍ୟରେ ଜାତି ତଥା ମାତୃଭାଷାର ସମୃଦ୍ଧି କ୍ଷେତ୍ରରେ ମନୋନିବେଶ କରିବା ଉଚିତ ବୋଲି ମତ ଦେଇ ଓଡ଼ିଆକୁ ଜ୍ଞାନ ଭଣ୍ଡାରର ଭାଷା ଭାବରେ ପ୍ରତିଷ୍ଠିତ କରିବା ଆମର ଜାତୀୟ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିଥିଲେ | ସେ ଓଡ଼ିଆ ଭରଚୁଆଲ ଏକାଡେମୀ ପାଇଁ କାର୍ଯ୍ୟ କରିବାକୁ ସମ୍ମତି ଜ୍ଞାପନ କରିଥିଲେ |କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ପୋଥିଵିଜ୍ଞାନୀ ଅଧ୍ୟାପକ ଡ଼. ବିଭୂତି ଭୂଷଣ ମହାପାତ୍ର, ବରିଷ୍ଠ ପ୍ରବନ୍ଧକ ସ୍ମୃତି ରଞ୍ଜନ ମିଶ୍ର, ବିଶେଷଜ୍ଞ ଦେବାନନ୍ଦ ଭଞ୍ଜ, ଡ଼. ଡି.ଏନ.ମହାନ୍ତି, ସଚ୍ଚିଦାନନ୍ଦ ପଣ୍ଡା ଓ ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |










