ସୁନ୍ଦରଗଡ଼: ଜୁଆଆଡ୍ଡାରେ ସୁନ୍ଦରଗଡ଼ ପୁଲିସର ବଡ଼ ଚଢ଼ଉ। ଗତକାଲି ବିଳମ୍ବିତ ରାତିରେ ହେମଗିର ଥାନା ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜାମଝରିଆ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ଉ କରି ପୁଲିସ ୨୬ ଅଭିଯୁକ୍ତଙ୍କୁ କାବୁ କରିଛି। ସେମାନଙ୍କଠାରୁ ୩ଟି ଦାମୀ କାର୍ (ସିଜି ୧୧ ଏକେ ୫୭୬୮, ସିଜି ୧୦ ସିସି ୫୦୩୧, ସିଜି ୧୩ ବିଏଚ୍ ୭୦୫୮ ) ଓ ୯ଟି ବାଇକ ସହ ୩୧ଟି ମୋବାଇଲ ଜବତ କରିଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଆଜି ସୁନ୍ଦରଗଡ଼ ଜିଲ୍ଲା ପୁଲିସ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌର ଚଢ଼ଉ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଜାମଝରିଆ ଜଙ୍ଗଲରେ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ପୁଲିସକୁ ସୂଚନା ମିଳିଥିଲା । ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ କୌରଙ୍କ ନିର୍ଦେଶରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶାନ୍ତା ନୂତନ ସାମଦ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ହେମଗିର ପୁଲିସ ଓ ସଶସ୍ତ୍ର ପୁଲିସ ବଳ ରାତିରେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି କିଛି ଜୁଆ ଖେଳାଳି ଦୌଡ଼ି ପଳାଇଥିବାବେଳେ ୨୬ ଜଣଙ୍କୁ ପୁଲିସ ଗୋଡ଼ାଇ ଗୋଡ଼ାଇ ଧରିଥିଲା।










