ଭୁବନେଶ୍ଵର: ଉତ୍ତମ ସ୍ଵାଦ, ଉତ୍କୃଷ୍ଟ ଗୁଣବତ୍ତା ଓ ବିଶୁଦ୍ଧତାର ପ୍ରତୀକ ସାଜିଛି ଓମ୍ଫେଡ୍ । ଓଡ଼ିଶାରେ ଶ୍ଵେତ ବିପ୍ଲବକୁ ଆଗେଇ ନେବା ସହ ଲକ୍ଷ ଲକ୍ଷ ଚାଷୀଙ୍କ ଜୀବନ-ଜୀବିକାର ସମୃଦ୍ଧିରେ କ୍ରାନ୍ତିକାରୀ ଭୂମିକା ଗ୍ରହଣ କରିଛି ବୋଲି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳନନ୍ଦ ମଲ୍ଲିକ କହିଛନ୍ତି । ଆଜି ସ୍ଥାନୀୟ ଶହୀଦନଗର ସ୍ଥିତ ଓମ୍ଫେଡ୍ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ବିପଣନ, ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ମାଧ୍ୟମରେ ଚାଷୀଙ୍କ ସମୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମୀକ୍ଷା ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା ।
ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମ୍ଫେଡ୍) ଦ୍ୱାରା ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ମାନ୍ୟବର ମନ୍ତ୍ରୀ ପୁଂଖାନୁପୁଂଖ ସମୀକ୍ଷା କରିଥିଲେ । ଦୁଗ୍ଧ ସମବାୟ ସମିତି, ଭିତ୍ତିଭୂମି ଉନ୍ନତିକରଣ, ବିଭିନ୍ନ ପ୍ଲାଣ୍ଟ ଆଦିରେ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ସେଗୁଡିକର ତ୍ଵରିତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ଓମ୍ଫେଡ୍ ୧୦୩୬. ୮୨ କୋଟିର ବ୍ୟବସାୟ କରିଥିବା ବେଳେ ୧୦.୨୩ କୋଟି ଟଙ୍କା ଲାଭ କରିଛି ।
ଏହି ସମୀକ୍ଷା ବୈଠକରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମଚନ୍ଦ୍ର ଚୌଧରୀ ଯୋଗ ଦେଇ କହିଥିଲେ, ଦୁଗ୍ଧ ଚାଷୀଙ୍କ କଲ୍ୟାଣ ପାଇଁ ବିଭାଗ ପ୍ରତିବଦ୍ଧ ଅଛି । ସୋନପୁରଠାରେ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏବଂ ଟାଙ୍ଗୀଠାରେ ୩୦ ହଜାରେ ଲିଟର କ୍ଷମତା ବିଶିଷ୍ଠ ନୂତନ ଡେରୀ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି । ଭିତ୍ତିଭୂମି ବିକାଶ ଉପରେ ବିଭାଗ ଗୁରୁତ୍ଵ ଦେଉଥିବା ବେଳେ ବିଗତ ଦୁଇ ବର୍ଷ ମଧ୍ୟରେ ୧୦୬୧ ଗୋଟି ନୂତନ ଦୁଗ୍ଧ ସମବାୟ ସମିତି ପଞ୍ଜିକରଣ ହୋଇଛି । ଓମ୍ଫେଡ୍ର ଭବିଷ୍ୟତ ଯୋଜନା ସଂପର୍କରେ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ବାଧାମୁକ୍ତ ଦୁଗ୍ଧକ୍ରୟ ବ୍ୟବସ୍ଥା ଗ୍ରହଣ କରିବା, ୨୦୩୦ ମସିହା ସୁଦ୍ଧା ୩.୨୮ ଲକ୍ଷ ଦୁଗ୍ଧ ଚାଷୀଙ୍କ ଆର୍ଥିକ ସମୃଦ୍ଧି ସୁନିଶ୍ଚିତ କରିବା, ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନରେ ଆତ୍ମନିର୍ଭର ହେବା ପାଇଁ ସେ ଗୁରୁତ୍ଵ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧିନରେ ୨୧ଟି ନୂତନ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଖୋଲାଯାଇଛି । ୪୪୫୫ ଟି ଦୁଗ୍ଧ ସମବାୟ ସମିତି ଜରିଆରେ ପ୍ରାୟ ୩.୨୪ଲକ୍ଷ ଚାଷୀଙ୍କଠାରୁ ଦୈନିକ ହାରାହାରି ୬.୭୦ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ ହେଉଛି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆଶୀର୍ବାଦ ପାଲଟିଛି । ରାଜ୍ୟର ବିଭିନ୍ନ ବ୍ଲକରେ ୧୬୦ ଗୋଟି ନୂତନ କ୍ଷୀରଧାରା କେନ୍ଦ୍ର ଖୋଲାଯାଇ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରାଯାଉଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଦୈନିକ ପ୍ରାୟ ୬% ହାରରେ ଦୁଗ୍ଧ ସଂଗ୍ରହ ବୃଦ୍ଧି ପାଇଛି । ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ବିପଣନ ୪% ବୃଦ୍ଧି ପାଇଛି । ଏହି ସମୀକ୍ଷା ବୈଠକରେ ଓମ୍ଫେଡ୍ ସଭାପତି ଶ୍ରୀ କିଶୋରଚନ୍ଦ୍ର ପ୍ରଧାନୀ, ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘର କର୍ମକର୍ତ୍ତା, ବିଭିନ୍ନ ମିଲ୍କ ୟୁନିୟନର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।










