ଭୁବନେଶ୍ୱର: ଓଡିଶାରେ ଚାଲିବ ଇଭି ବୋଟ । ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ହେବ ବ୍ୟବସ୍ଥା । ପାରମ୍ପାରିକ ଓ ଡିଜେଲ ବୋଟ ବଦଳରେ ଚାଲିବ ପରିବେଶ ଅନୂକୂଳ ବୈଦ୍ୟୁତିକ ବୋଟ । କୋଲାବ, ହୀରାକୁଦ , ଭିତରକନିକା ଓ ବରକୂଳ ପାଇଁ ଆହ୍ୱାନ ହେଲା ଟେଣ୍ଡର । ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହେବାକୁ ଯାଉଛି ଏକ ନୂଆ ଫର୍ଦ୍ଦ । ଏଣିକି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଚାଲିବ ପରିବେଶ ଅନୁକୂଳ ଇଭି ବୋଟ ବା ବୈଦ୍ୟୁତିକ ଡଙ୍ଗା । ବର୍ତ୍ତମାନର ତେଲ ସଙ୍କଟ ଏବଂ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ସ୍ଥାନରେ ଥିବା ପାରମ୍ପରିକ କିମ୍ବା ଡିଜେଲ ବୋଟକୁ ବଦଳାଇ ଇଭି ବୋଟରେ ପରିଣତ କରାଯିବ । ଏଥିପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓଟିଡିସି ପକ୍ଷରୁ ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇଛି । କୋରାପୁଟର କୋଲାବ ପାଇଁ ୩୦ ଆସନ ବିଶିଷ୍ଟ ବୋଟ ଆସିବ । ସମ୍ବଲପୁରର ହୀରାକୁଦ ପାଇଁ ୨ଟି ସ୍ଥାନରେ ଯଥାକ୍ରମେ ୨୦ ଓ ୧୦ ଆସନ ବିଶିଷ୍ଟ ବୋଟ ଚାଲିବ । କେନ୍ଦ୍ରାପଡାର ଭିତରକନିକା ପାଇଁ ୨୦ ଆସନ ଏବଂ ଖୋର୍ଦ୍ଧା ଚିଲିକାର ବରକୂଳ ପାଇଁ ୮ ଆସନ ବିଶିଷ୍ଟ ବିଳାସପୂର୍ଣ୍ଣ ବୋଟରେ ବ୍ୟବସ୍ଥା କରାଯାଉଛି । ସବୁଠାରୁ ବଡ କଥା ହେଲା, ପର୍ଯ୍ୟଟକଙ୍କ ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବୋଟ ଗୁଡିକରେ ଇଭି ସହିତ ସୋଲାର ତଥା ସୌରଶକ୍ତି ଏବଂ ସିଏନଜି ବ୍ୟବହାରର ମଧ୍ୟ ସୁବିଧା ରହିବ ।










