ନୂଆଦିଲ୍ଲୀ: ରାଜସ୍ଥାନରେ ଏବେ ଗ୍ରୀଷ୍ମଲହରି ସ୍ଥିତି ଜାରି ରହିଛି । ଚଳିତ ମେ ମାସରେ ରାଜସ୍ଥାନର ଅଧିକାଂଶ ସ୍ଥାନରେ ତାପମାତ୍ରା ତାପମାତ୍ରା ୪୫ରୁ ୪୬ ଡିଗ୍ରୀ ରହିଥିବା ବେଳେ ଲୋକ ଅସ୍ୟ ତାତିରେ ଆଉଟୁ ପାଉଟୁ ହେଉଛନ୍ତି । କିନ୍ତୁ ଏହି ତାତି କଷ୍ଟକୁ ବଳି ଯାଇଛି ଉତ୍କଟ ଜଳ ସଙ୍କଟ ଓ ବିଦ୍ୟୁତ କାଟ ଜନିତ ଯନ୍ତ୍ରଣା । ରାଜ୍ୟ ରାଜଧାନୀ ଜୟପୁର, ଭରତପୁର, ବାରମେର ଜୈସଲେମର, ଚୁରୁ ଓ ରାଜ୍ୟର ଅନ୍ୟାନ୍ୟ ଅଂଶରେ ଜଳ ସଙ୍କଟ ଉତ୍କଟ ହୋଇଛି । ସୋମବାର ଜୟପୁରରେ ଦୂଷିତ ଜଳଯୋଗାଣକୁ ବିରୋଧ କରି ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ହଜାର ହଜାର ଲୋକ ଜୟପୁରରେ ସ୍ୱଚ୍ଛ ପାନୀୟ ଜଳ ଦାବି କରି ଆନ୍ଦୋଳନ କରିଛନ୍ତି । ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ସିଂ ଖଚରିୟାୱାସ ଜୟପୁର ସିଭିଲ ଲାଇନରୁ ହରିପୁର ଅଞ୍ଚଳର ଜଳଭବନ ପର୍ଯ୍ୟନ୍ତ ଆନ୍ଦୋଳନ ଯାତ୍ରା କରିଛନ୍ତି । ଗ୍ରାମୀଣ ଅଞ୍ଚଳରେ ସ୍ଥିତି ଏତେ ଉଦବେଗଜନକ ରହିଛି ଯେ, ଲୋକ ପାନୀୟ ଜଳ କିଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି । ଜିଲ୍ଲା ମୁଖ୍ୟାଳୟଠାରୁ ବହୁ ଦୂର ଦୁର୍ଗମ ଗାଁ ଗୁଡିକରେ ଲୋକ ଘରୋଇ ଟ୍ୟାଙ୍କରରୁ ପାଣି କିଣିବା ପାଇଁ ବାଧ୍ୟ ହେଉଛନ୍ତି । କସୋଡା ଗ୍ରାମରେ ଜଳ ଜୀବନ ମିଶନ ଅଧୀନରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା । କିନ୍ତୁ ଏଥିରେ ପାଣି ଛଡାଯାଇନି । ଅନିରୁଦ୍ଧନଗର ବାସିନ୍ଦା ରାଜକୁମାର କହିଛନ୍ତି ଯେ, ଲୋକମାନେ ଅତି ଉତ୍କଟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଗ୍ରାମୀଣ ଅଞ୍ଚଳରେ ମହିଳା ମାନେ ସକାଳୁ ଉଠିବା ମାତ୍ରେ ପାଣି ପାଇଁ ଅନେକ କିଲୋମିଟର ଚାଲୁଛନ୍ତି । ମାୱାଇ ଗ୍ରାମର ଜନସଂଖ୍ୟା ପ୍ରାୟ ୪ ହଜାର ଥିବା ବେଳେ ଏଠାରେ ଜଳ ଯୋଗାଣ ବ୍ୟବସ୍ଥା ନଥିବାରୁ ଲୋକଙ୍କୁ ସ୍ଥାନୀୟ କୂଅରୁ ପାଣି ଆଣିବା ପାଇଁ ଲମ୍ବା ଧାଡିରେ ଠିଆ ହେବାକୁ ପଡୁଛି ।










