ସମ୍ବଲପୁର: ଭିମସାରକୁ ଗଲେ ଭୟ ଲାଗୁଛି । ସାମାନ୍ୟ ଅସ୍ତ୍ରୋପଚାରରେ ଜୀବନ ଚାଲିଯାଉଛି । ସମ୍ବଲପୁର ବଡବଜାର ଅଞ୍ଚଳର ୨୪ ବର୍ଷୀୟ ସଂକେତ ସାହୁ ସାମାନ୍ୟ ଅସ୍ତ୍ରୋପଚାର ପାଇଁ ଭିମସାର ଯାଇଥିଲେ । ତାଙ୍କ ଜୀବନ ଚାଲିଗଲା । ନାକରେ ମାଂସ ବଢିଥିଲା, ତେଣୁ ଭିମସାରର ଇଏନଟି ବିଭାଗରେ ଏକ ଛୋଟ ଧରଣର ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ଅଚାନକ ଯକୃତ, ବୃକକ ଓ ଫୁସଫୁସ ଏକାସାଙ୍ଗେ ଖରାପ ହୋଇଯାଇଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସମ୍ବଲପୁରରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ସମ୍ପୁକ୍ତ ଡାକ୍ତର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ ।ଅନ୍ୟପଟେ ଅସ୍ତ୍ରୋପଚାର ପରେ ସେଫ୍ଟି ସେମିଆ ବା ସଂକ୍ରମଣ ଫଳରେ ସଂକେତଙ୍କ ଜୀବନ ଚାଲିଯାଇଥିବା କହୁଛି ଡାକ୍ତରଖାନା ।









