କେନ୍ଦୁଝର: ସକାଳୁ ସକାଳୁ ବଡ ଅଘଟଣ । କେନ୍ଦୁଝର କାଇଁଝରୀ ନଦୀରେ ଗାଧୋଇବା ବେଳେ ଯୁବକ ମୃତ । କେନ୍ଦୁଝର ସଦର ଥାନା ଗୋପାଳପୁର ନିକଟରେ ଏହି ଅଘଟଣ ଘଟିଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁସାରେ ଆଜି ସକାଳୁ ଦୁଇ ଜଣ ସାଙ୍ଗ କାଇଁଝରୀ ନଦୀକୁ ଗାଧୋଇବାକୁ ଯାଇଥିଲେ । କିଛି ଅସାବଧାନତା କାରଣରୁ ଜଣେ ସାଙ୍ଗ ଗଭୀର ପାଣିରେ ବୁଡି ଯାଇଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ନାଁ ହେଉଛି ଆଦିତ୍ୟ ମାହାନ୍ତ । କେନ୍ଦୁଝର ଟାଉନ ମାଗୁର ଗାଡିଆରେ ତାଙ୍କ ଘର । କେନ୍ଦ୍ରୀୟ ସରକାରୀ ଡିଗ୍ରୀ ଇଞ୍ଜିନିୟରିଂ କଲେଜର ବିଟେକ ଛାତ୍ର । ଆଦିତ୍ୟଙ୍କୁ ତାଙ୍କ ସାଙ୍ଗ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ । ଖବର ପାଇ ଦମକଳ ବାହିନୀ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଦୀରେ ବହୁତ ଖୋଜାଖୋଜି ପରେ ତାଙ୍କୁ ଗଭୀର ଜଳରୁ ଉଦ୍ଧାର କରାଯାଇଥିଲା । ସେତେବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ଶୁଣିବା ପରେ ଆଦିତ୍ୟଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛନ୍ତି । ଜାଣି ରଖିବା ଉଚିତ ଯେ, ନଦୀକି, କେନାଲ ଡ୍ୟାମରେ କୌଣସି ପ୍ରକାର ଦୁଃସାହସିକ କାର୍ଯ୍ୟକଳାପ କରିବା ଉଚିତ ନୁହେଁ, ଯଦିଓ ପହଁରା ଆସୁନାହିଁ ଗଭୀର ପାଣିକୁ ଯିବା ଠିକ ନୁହଁ । ଆଜିକାଲିର ଯୁବପିଢି ମାନେ କାଣିଚିକିଏ ଖୁସି ପାଇଁ ନିଜ ଜୀବନକୁ ବାଜି ଲଗାଇ ମନ ଉପଭୋଗ କରୁଛନ୍ତି । କେତେ ସଚେତନତା କରାଇଲେ ମଧ୍ୟ ନିୟମକୁ ଅଣଦେଖା କରି ସମାନ କାର୍ଯ୍ୟ କରୁଛନ୍ତି । ପରେ ପରିବାର ଲୋକେ ଦୁଃଖ ପାଉଛନ୍ତି ।










