31.1 C
Bhubaneswar
Friday, May 22, 2026
Homeଓଡିଶାକୃତ୍ରିମ ବୃଦ୍ଧିମତା ଓ ଗଣନାତ୍ମକ ଚିନ୍ତନ ଉପରେ ଗୁରୁତ୍ବ

କୃତ୍ରିମ ବୃଦ୍ଧିମତା ଓ ଗଣନାତ୍ମକ ଚିନ୍ତନ ଉପରେ ଗୁରୁତ୍ବ

ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱରରେ ଆୟୋଜିତ ଚାରିଦିନିଆ “Hack to the Future 3.0 – ଓଡ଼ିଶା ସଂସ୍କରଣ” କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । “Shaping Futures, Young People Solving, Learning and Exploring Emerging Technologies” ବିଷୟବସ୍ତକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜ ସୃଜନଶୀଳତା ଓ ନବଚିନ୍ତନ ମାଧ୍ୟମରେ ନୂଆ ନୂଆ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ।

ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ସହ ମିଳିତ ସହଯୋଗରେ କ୍ବେଷ୍ଟ ଆଲିଆନ୍ସ ଓ ଆଇଆଇଟି ଭୁବନେଶ୍ବର ପକ୍ଷରୁ ଏହି ହାକାଥନ କାର୍ଯକ୍ରମ ଚାରିଦିନ ଧରି ଆଇଆଇଟି ଭୁବନେଶ୍ବରଠାରେ ଆୟୋଜିତ ହୋଇଯାଇଛି । ଆକାଂକ୍ଷୀ ପାଠ୍ୟକ୍ରମ ଅଧୀନରେ ଥିବା କୌଶଳୀ ପାଠ୍ୟକ୍ରମରେ କୃତ୍ରିମ ବୃଦ୍ଧିମତା (ଏଆଇ) ଓ ଗଣନାତ୍ମକ ଚିନ୍ତନ (Computational Thinking) କୁ ଗୁରୁତ୍ବ ଦେଇ ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ପ୍ରକଳ୍ପ ମଧ୍ୟରୁ ଶ୍ରେଷ୍ଠ ପ୍ରକଳ୍ପ ଗୁଡ଼ିକ ହାକାଥନରେ ସାମିଲ ହୋଇଥିଲା । ସମୁଦାୟ ୬୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ବିଷୟ ଉପରେ ଉନ୍ନତ ଓ ସ୍ବତନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ କରିଥିଲେ ।

ପ୍ରଥମ ଦିନରେ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ଇନୋଭେସନ୍‌ ଓ ସମସ୍ୟା ସମାଧାନ ଭିତ୍ତିକ ଶିକ୍ଷା ବିଷୟରେ ପ୍ରୟୋଗାତ୍ମକ ଶିକ୍ଷା ଦିଆଯାଇଥିଲା । ନୂଆ ନୂଆ କୌଶଳ ଶିଖିବା ସହ ଦଳୀୟ ଆଲୋଚନା, ମେଣ୍ଟରିଂ ସେସନ୍‌, ରିସର୍ଚ୍ଚ ଏବଂ ପ୍ରୋଜେକ୍ଟ ଡେଭଲପମେଣ୍ଟ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ସୃଜନଶୀଳତାକୁ ଆହୁରି ମଜବୁତ କରିପାରିଥିଲେ । ଦ୍ୱିତୀୟ ଦିନରେ “5 Why” Root Cause Analysis ପ୍ରକ୍ରିୟା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ପ୍ରକଳ୍ପ ଗୁଡିକରେ ଆଉ କଣ ସମସ୍ୟା ରହିଛି ତାହାକୁ ଚିହ୍ନଟ କରି ସମାଧାନ ଉପରେ କାମ କରିଥିଲେ । ଏହାସହ କୃତ୍ରିମ ବୃଦ୍ଧିମତା ଦ୍ବାରା ଭବିଷ୍ୟତ ପ୍ରଭାବ, ଡାଟା ବିଶ୍ଳେଷଣ ଓ କେସ୍‌ ଷ୍ଟଡି ଭିତ୍ତିକ ସେସନ୍‌ ମଧ୍ୟ ଆୟୋଜିତ ହୋଇଥିଲା । ହାକାଥନ୍‌ରେ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା, ଶିଶୁ ସୁରକ୍ଷା ଓ ସାମାଜିକ ସଚେତନତା ଭଳି ବିଷୟକୁ ଆଧାର କରି ବିଭିନ୍ନ ନବୀନ ପ୍ରକଳ୍ପ ଉପସ୍ଥାପନ କରିଥିଲେ ।

ଉଦଯାପନୀ ଉତ୍ସବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶିକ ଶ୍ରମୀତୀ ନିୟତୀ ପଟ୍ଟନାୟକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଙ୍ଗଠନର ଯୁଗ୍ମ ନିର୍ଦ୍ଦେଶିକ ଶ୍ରମୀତୀ ମୌସୁମୀ ସାହୁ, ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ, କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ, ପିଏସଏସଏସ ଅଧିକାରୀ ଶ୍ରୀ ତାପସ କୁମାର ବିସି ଅତିଥି ଭାବେ ଯୋଗ ଦେଇଥିଲେ । ଏପରି ହ୍ୟାକାଥନ୍‌ ଛାତ୍ରଛାତ୍ରୀମାନଙ୍କ ପାଇଁ ଭବିଷ୍ୟତମୁଖୀ କୌଶଳ ଗଢ଼ିବାର ଏକ ଭଲ ସୁଯୋଗବ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ କ୍ବେଷ୍ଟ ଆଲିଆନ୍ସର ସ୍କୁଲ କାର୍ଯ୍ୟକ୍ରମ ରାଜ୍ୟ ମୁଖ୍ୟ ଶ୍ରୀମତୀ ୟୁଭେକା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ବାଲ୍ୟ ବିବାହ ରୋକିବ- “ଉଡାନ”
ଛାତ୍ରଛାତ୍ରୀ କେବଳ ପାଠପଢ଼ାରେ ନୁହେଁ, ସମାଜର ସମସ୍ୟାକୁ ବୁଝି ତାହାର ସମାଧାନ ଖୋଜିବାରେ ମଧ୍ୟ ଆଗେଇ ଆସିଛନ୍ତି। ବାଲ୍ୟ ବିବାହ ଭଳି ସମ୍ବେଦନଶୀଳ ସାମାଜିକ ସମସ୍ୟାକୁ ରୋକିବା ସହ କିଶୋରୀମାନଙ୍କୁ ସଚେତନ କରି ସେମାନଙ୍କ ପାଇଁ ଏକ ଉଜ୍ଜ୍ବଳ ଭବିଷ୍ୟତ ଗଠନ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଆରତି ପ୍ରଧାନ, ସୁଇଟ୍ ପ୍ରଧାନ ଓ ରୁଦ୍ର ପ୍ରତାପ ସାହୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ମୋବାଇଲ୍ ଆପ୍ “ଉଡାନ (UDAAN)” । ଉଡାନ୍ କେବଳ ଏକ ଆପ୍‌ ନୁହେଁ, ଏହା ହେଉଛି ଶିଶୁକନ୍ୟାମାନଙ୍କ ସୁରକ୍ଷା, ସଚେତନତା ଓ ସଶକ୍ତିକରଣ ପାଇଁ ଛାତ୍ରଛାତ୍ରୀଙ୍କ ଏକ ପ୍ରୟାସ।

ଉଡାନ୍ ଆପ୍‌ରେ ରହିଛି ୬ ଟି ବିଭାଗ- ସଚେତନତା, ଅଭିଭାବକ ପରାମର୍ଶ, କନ୍ୟାଶିଶୁଙ୍କ ପାଇଁ ସରକାରୀ ଯୋଜନା, ଅଧିକାର ଓ ଆଇନ, ସହାୟତା ଏବଂ ସଫଳତାର କାହାଣୀ । ଏହି ଆପର ପ୍ରତିଟି ବିଭାଗର ସ୍ବତନ୍ତ୍ର ଆଭିମୁଖ୍ୟ ରହିଛି । ସଚେତନତା ବଟନ୍ ଦାବିଲେ କନ୍ୟାବିବାହକୁ ନେଇ ବିଭିନ୍ନ ପ୍ରକାରର ସଚେତନତା ବିଷୟବସ୍ତୁ ରହିଛି । ସେହିପରି ଅଭିଭାବକ ପରାମର୍ଶରେ ମଧ୍ୟ ଅଭିଭାବକଙ୍କୁ ସଚେତନ କରିବା ପାଇଁ ବହୁ ବ୍ୟବସ୍ଥା କରିଛନ୍ତି ଛାତ୍ରଛାତ୍ରୀ । ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ସହାୟତା (ହେଲ୍ପ ଆଣ୍ଡ ସପୋର୍ଟ) ବଟନ୍ ଦାବିଲେ ସେଥିରେ କନ୍ୟା ସୁରକ୍ଷା ପାଇଁ ଥିବା ବିଭିନ୍ନ ଏନଜିଓ, ସରକାରୀ ସହାୟତା ନମ୍ବର ରହିଛି । ଏହାଦ୍ବାରା ସହଜରେ ସେମାନଙ୍କ ପାଖକୁ ଆଲର୍ଟ ଯାଇପାରିବ । ଫଳରେ କୌଣସି ଶିଶୁ କନ୍ୟା ଯଦି ଏଭଳି ପରିସ୍ଥିତର ସମ୍ମୁଖୀନ ହେଉଛନ୍ତି ତେବେ ସେ ତୁରନ୍ତ ଏହି ଆପ୍ ମାଧ୍ୟମରେ ନିଜର ସୁରକ୍ଷା କରିବା ସହ ସହାୟତା ଲୋଡିପାରିବେ ।

ଜଙ୍ଗଲର ସୁରକ୍ଷା କବଚ ସାଜିବ— “Forest Fire Detection”
ଜଙ୍ଗଲରେ ନିଆଁ ଲାଗିଗଲେ ଶହ ଶହ ବୃକ୍ଷଲତା, ଜୀବଜନ୍ତୁ ସେହି ନିଆଁରେ ଭସ୍ମ ହୋଇଯାଆନ୍ତି । ଲକ୍ଷ ଲକ୍ଷ ଟଙ୍କା ଧନ ମଧ୍ୟ ହାନି ହେବା ସହ ପ୍ରକୃତି ଉପରେ ଏହାର ବିପଦ ପଡିଥାଏ । ହେଲେ ଏଭଳି ବିପତ୍ତିରୁ ରକ୍ଷା ପାଇବା ନିମନ୍ତେ କଳାହାଣ୍ଡି ଜିଲ୍ଲାର ତିନି ଜଣ ଦଶମ ଶ୍ରେଣୀର ଛାତ୍ରୀ ସୋନିଆ ବାଗ୍, ସ୍ବାତି ବଚ୍ଛା ଓ ମାମାଶ୍ରୀ ସାହୁ ତିଆରି କରିଛନ୍ତି ଏକ ଅଭିନବ ପ୍ରକଳ୍ପ ଜଙ୍ଗଲ ନିଆଁ ନିରୂପଣ (“Forest Fire Detection”) । କଳାହାଣ୍ଡି ଭଳି ଜିଲ୍ଲାରେ ଥିବା ଜଙ୍ଗଲଗୁଡିକୁ କିଭଳି ନିଆଁରୁ ରକ୍ଷା କରାଯାଇପାରିବ ତାହାକୁ ନଜରରେ ରଖି ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ଏଭଳି ଏକ ଓ୍ବେବସାଇଟ୍ ଓ ମୋବାଇଲ୍ ଆପ୍ଲିକେସନ୍ । ସମାଜ ଓ ପରିବେଶର ସମସ୍ୟା ପାଇଁ ନୂଆ ସମାଧାନ ଖୋଜିବାରେ ସେମାନଙ୍କର ଏହି ପ୍ରୟାସ ଅନନ୍ୟ ।ତିନିଜଣ ଛାତ୍ରଛାତ୍ରୀ ଏହି ପ୍ରକଳ୍ପ ଅଧୀନରେ ଏକ ୱେବ୍ ଓ ମୋବାଇଲ୍ ଆପ୍ଲିକେସନ୍‌ ଡିଜାଇନ୍‌ କରିଛନ୍ତି, ଯାହା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିବାର ସମ୍ଭାବନାକୁ ପୂର୍ବରୁ ଚିହ୍ନଟ କରିପାରିବ । ଏହା ସିଧାସଳଖ ଜଙ୍ଗଲର କେଉଁ ସ୍ଥାନରେ ଅଗ୍ନିକାଣ୍ଡ ହେବାର ସମ୍ଭାବନା ରହିଛି ବା ହେବ ତାହାକୁ ନିରୂପଣ କରିପାରିବ । ଚିହ୍ନଟ କରିବା ସଙ୍ଗେ ସଙ୍ଗେ ହ୍ବାଟସଆପ୍ ମାଧ୍ୟମରେ ସମ୍ପର୍କିତ ବ୍ୟକ୍ତି ନିକଟକୁ ସତର୍କ ସଙ୍କେତ ମଧ୍ୟ ପଠାଇବ, ଯାହା ଫଳରେ ଏଥିରୁ ରକ୍ଷା ପାଇବା ନିମନ୍ତେ ଶୀଘ୍ର ପଦକ୍ଷେପ ନିଆଯାଇ ପାରିବ । ଛାତ୍ରୀମାନଙ୍କ ଏହି ନବୀନ ଚିନ୍ତନ କେବଳ ଜଙ୍ଗଲକୁ ସୁରକ୍ଷା ଦେବାରେ ସହାୟକ ନୁହେଁ, ବରଂ ବନ୍ୟଜନ୍ତୁ ଓ ପରିବେଶକୁ ବଞ୍ଚାଇବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଟେକ୍ନୋଲୋଜିକୁ ବ୍ୟବହାର କରି ପରିବେଶ ସୁରକ୍ଷା ଦିଗରେ ଯୁବମାନଙ୍କର ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking