ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଭୁବନେଶ୍ୱର ସ୍ଥିତ ଭିଭନ୍ତା ହଲ୍ ଠାରେ ନିର୍ବାଚନ ପ୍ରକ୍ରିୟାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅର୍ଥାତ୍ ଭୋଟ ଗଣତି ଏବଂ ଫଳାଫଳ ସାରଣୀକରଣକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଳନ ଯୋଗଦେଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆପଣାଯାଉଥିବା ସର୍ବୋତ୍ତମ ନିର୍ବାଚନ ପଦ୍ଧତି ଏବଂ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ ବିସ୍ତୃତ ଆଲୋଚନାର ସୂତ୍ରପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ୬ଟି ପ୍ରମୁଖ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯେଉଁଥିରେ ଗଣତି ପ୍ରକ୍ରିୟା ସମୟରେ ଶାନ୍ତିପୂର୍ଣ୍ଣ ଏବଂ ସ୍ୱଚ୍ଛ ପରିବେଶ ବଜାୟ ରଖିବା ପାଇଁ ଗଣମାଧ୍ୟମର ସମନ୍ୱୟ ଓ ରଣନୀତିକ ଯୋଗାଯୋଗର ଭୂମିକା ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିଲା। ଏହା ସହିତ ଆନ୍ତର୍ଜାତୀୟ ସ୍ତରରେ ପୋଲାଣ୍ଡର ନିର୍ବାଚନ ଗଣତି ଓ ଫଳାଫଳ ସାରଣୀକରଣ ଢାଞ୍ଚାର ସମୀକ୍ଷା କରାଯାଇ ସେଠାକାର ଆନୁଷ୍ଠାନିକ ଅଭ୍ୟାସ ଓ ସ୍ୱଚ୍ଛତା ବ୍ୟବସ୍ଥାକୁ ଆମ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ନେଇ ମଧ୍ୟ ବିଚାରବିମର୍ଶ ହୋଇଥିଲା।
ଏହି ଆଲୋଚନାଚକ୍ରରେ ନିର୍ବାଚନ ପରିଚାଳନା ସଂସ୍ଥା ଗୁଡ଼ିକରେ ବୈଷୟିକ ଉଦ୍ଭାବନର ଗ୍ରହଣଶୀଳତା ଉପରେ ବିଶେଷ ଜୋର ଦିଆଯାଇଥିଲା, ଯାହା ଭୋଟ ଗଣତିର ସଠିକତା କରିବା ସହ ମାନବୀୟ ଭୁଲ୍ ହ୍ରାସ କରିବାରେ ଏବଂ ଭୋଟରଙ୍କ ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରିବାରେ ସହାୟକ ହେବ। ଏଥିସହିତ ବିଶ୍ୱସ୍ତରରେ ବିଭିନ୍ନ ଦେଶର ନିର୍ବାଚନ ସଂସ୍ଥାଗୁଡ଼ିକ ଦ୍ୱାରା ଆପଣାଯାଉଥିବା ନୂତନ ପଦ୍ଧତି ଓ ବୈଶ୍ୱିକ ପ୍ରବୃତ୍ତି ଉପରେ ଆଲୋକପାତ କରାଯାଇ ନିର୍ବାଚନ ପ୍ରକ୍ରିୟାରେ ଅଧିକ ଦକ୍ଷତା ଆଣିବାକୁ ଏହି ଉଦ୍ଭାବନଗୁଡ଼ିକୁ ଆପଣାଇବା ଜରୁରୀ ବୋଲି ମତପ୍ରକାଶ ପାଇଥିଲା। ଗଣତି ଏବଂ ସାରଣୀକରଣ ସମୟରେ ଜନସାଧାରଣଙ୍କ ବିଶ୍ୱାସ ଜିତିବା ପାଇଁ ପ୍ରକ୍ରିୟାଗତ ସୁରକ୍ଷା ଓ କଡ଼ାକଡ଼ି ଯାଞ୍ଚ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ, ଫଳାଫଳ ସାରଣୀକରଣରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ନିର୍ବାଚନ ପରିଚାଳନା ସଂସ୍ଥା ଦ୍ୱାରା ଗ୍ରହଣ କରାଯାଇଥିବା ସର୍ବୋତ୍ତମ ଆଭିମୁଖ୍ୟଗୁଡ଼ିକୁ ପରସ୍ପର ମଧ୍ୟରେ ଆଦାନପ୍ରଦାନ କରାଯାଇଥିଲା। ଏହି ସମ୍ମିଳନୀରେ ଆଭାସୀ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ ନିର୍ବାଚନ ଅଧିକାରୀ ଓ ନିର୍ବାଚନ ପ୍ରଶାସକ, ନିର୍ବାଚନ ପରିଚାଳନା ସଂସ୍ଥାର ପ୍ରତିନିଧି, ନୀତି ନିର୍ଦ୍ଧାରକ ଏବଂ ଶାସନ ପ୍ରଣାଳୀର ବ୍ୟବହାରିକ ବିଶେଷଜ୍ଞମାନେ ସାମିଲ ଥିଲେ। ଏହା ସହିତ ଆଇନ ଓ ସମ୍ବିଧାନ ବିଶେଷଜ୍ଞ, ଶିକ୍ଷାବିତ୍ ଓ ଗବେଷକ, ଏବଂ ବୈଷୟିକ ଜ୍ଞାନକୌଶଳ ଓ ସାଇବର ସୁରକ୍ଷା ବୃତ୍ତିଗତମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ। ଗଣମାଧ୍ୟମ ଓ ଯୋଗାଯୋଗ ବିଶେଷଜ୍ଞ, ଆନ୍ତର୍ଜାତୀୟ ନିର୍ବାଚନ ପରିଚାଳନା କାର୍ଯ୍ୟକର୍ତ୍ତା ଓ ପର୍ଯ୍ୟବେକ୍ଷକଙ୍କ ସମେତ ଗଣତନ୍ତ୍ର ଏବଂ ସୁଶାସନ ଅଧ୍ୟୟନ କ୍ଷେତ୍ରରେ କାର୍ଯ୍ୟରତ ଛାତ୍ରଛାତ୍ରୀ ଓ ଗବେଷକମାନେ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଅତିରିକ୍ତ ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର,କେରଳ ର ଅତିରିକ୍ତ ସିଇଓ, ଯୁଗ୍ମ ସିଇଓ ଶ୍ରୀ ଗୋପୀନାଥ କୁଅଁର, ବିତ୍ତ ପରାମର୍ଶଦାତା ଶ୍ରୀ ସଞ୍ଜୟ କୁମାର ଲୁଗୁନ,ଡେ଼ପୁଟି ସିଇଓ ଡ.ଲଷ୍ମୀପ୍ରସାଦ ସାହୁ ଓ ଶ୍ରୀମତୀ ଅନାମିକା ସିଂ ଓ ପ୍ରମୁଖ ଉପସ୍ଥିତ ଥିଲେ।










