31.1 C
Bhubaneswar
Tuesday, May 19, 2026
Homeଓଡିଶାଏମ୍ସ ଦିଲ୍ଲୀର ସହଯୋଗରେ ରାଜ୍ୟରେ ସମନ୍ୱିତ ଜରୁରୀକାଳୀନ ଏବଂ ଟ୍ରମା କେୟାର ବ୍ୟବସ୍ଥାକୁ ସୁଦୃଢୀକରଣ ପାଇଁ...

ଏମ୍ସ ଦିଲ୍ଲୀର ସହଯୋଗରେ ରାଜ୍ୟରେ ସମନ୍ୱିତ ଜରୁରୀକାଳୀନ ଏବଂ ଟ୍ରମା କେୟାର ବ୍ୟବସ୍ଥାକୁ ସୁଦୃଢୀକରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର: ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସର ଜରୁରୀକାଳୀନ ଚିକିତ୍ସା ବିଭାଗ, ଜେ. ପି. ଏନ୍. ଆପେକ୍ସ ଟ୍ରମା ସେଣ୍ଟର (AIIMS) ପରିଦର୍ଶନ କରିବା ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ସେଠାକାର ଅତ୍ୟାଧୁନିକ ଚିକିତ୍ସା ଶୈଳୀ, ଜରୁରୀକାଳୀନ ରୋଗୀ ପରିଚାଳନା ଏବଂ ଭିତ୍ତିଭୂମିକୁ ଅନୁଧ୍ୟାନ କରିବା ସହ ‘ଜାତୀୟ ସ୍ୱାସ୍ଥ୍ୟ ପ୍ରାଥମିକତାରେ (NHRP) ଓଡିଶାର ଏକ ଜିଲ୍ଲାକୁ ସାମିଲ କରିବାର ପ୍ରସ୍ତାବ ଦେବା ସହ ଚିଠି ଲେଖିଛନ୍ତି । ଓଡ଼ିଶାରେ ଆପାତକାଳୀନ ଓ ଟ୍ରମା କେୟାର ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR)ର ମହାନିର୍ଦ୍ଦେଶକ ଡ଼ଃ ରାଜୀବ ବାହଲ ଏବଂ ଏମ୍ସର ପ୍ରଫେସର ସଞ୍ଜୀବ ଭୋଇଙ୍କୁ ଚିଠି ଲେଖିଛନ୍ତି। ମାନ୍ୟବର ମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ଆପାତକାଳୀନ ଓ ଟ୍ରମା ବ୍ୟବସ୍ଥା ସୁଦୃଢୀକରଣର ଆବଶ୍ୟକତା ଅଛି । ଇଣ୍ଡିଆ ଷ୍ଟେଟ୍-ଲେଭେଲ ଡିଜିଜ୍ ବର୍ଡେନ ଇନିସିଏଟିଭ୍-୨୦୧୯ ଅନୁସାରେ ରାଜ୍ୟ ମୃତ୍ୟୁହାରରେ ଦେଶରେ ଅଷ୍ଟମ ଏବଂ DALYs ମାପକରେ ତୃତୀୟ ସ୍ଥାନରେ ରହିଛି। ସେ ଉଲ୍ଲେଖ କଋଛନ୍ତି ଯେ, ଓଡ଼ିଶାରେ ସଡ଼କ ଦୁର୍ଘଟଣା, ହୃଦ୍‌ଘାତ, ଷ୍ଟ୍ରୋକ୍ ଏବଂ ସର୍ପାଘାତ ଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ସମନ୍ୱିତ ଜରୁରୀକାଳୀନ ଏବଂ ଟ୍ରମା କେୟାର ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।

ମାନ୍ୟବର ମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଏମ୍ସ ନୂଆଦିଲ୍ଲୀର ପ୍ରଫେସର ଡ଼ଃ ସଞ୍ଜୀବ ଭୋଇଙ୍କ ନେତୃତ୍ୱରେ ଆଇସିଏମଆର ଦ୍ୱାରା ପ୍ରାୟୋଜିତ ‘ଜାତୀୟ ସ୍ୱାସ୍ଥ୍ୟ ପ୍ରାଥମିକତା ପ୍ରକଳ୍ପ’ (NHRP) ଅଧୀନରେ ସମନ୍ୱିତ ଆପାତକାଳୀନ ଓ ଟ୍ରମା କେୟାର ସୁଦୃଢୀକରଣ ପାଇଁ ସଫଳ ମଡେଲ୍ ପ୍ରସ୍ତୁତ କରାଯାଇଛି। ଏହି ମଡେଲ୍ ଓଡ଼ିଶା ପାଇଁ ମଧ୍ୟ ଅତ୍ୟନ୍ତ ପ୍ରସଙ୍ଗିକ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଗୋଟିଏ ଜିଲ୍ଲାକୁ ‘ଜାତୀୟ ସ୍ୱାସ୍ଥ୍ୟ ପ୍ରାଥମିକତା ପ୍ରକଳ୍ପ’ (NHRP) ପ୍ରକଳ୍ପ ଅଧୀନରେ ସାମିଲ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହା ମାଧ୍ୟମରେ ସମ୍ବନ୍ଧିତ ଜିଲ୍ଲାରେ ସମନ୍ୱିତ ଆପାତକାଳୀନ ଓ ଟ୍ରମା ସେବା ମଡେଲ୍ ସଫଳ ଭାବେ କାର୍ଯ୍ୟକାରୀ ହେବା ସହ ପରବର୍ତ୍ତୀ ସମୟରେ ସମଗ୍ର ରାଜ୍ୟରେ ଏହାକୁ ବିସ୍ତାର କରାଯାଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଜନସ୍ୱାସ୍ଥ୍ୟ ସୁଦୃଢୀକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମାନ୍ୟବର ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking