ଗଜପତି: ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପଞ୍ଚାୟତର ଲଣ୍ଡାହାତୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସେହି ଗ୍ରାମର ବିଜୟ ଭୁୟାଁ (୬୦)। ବିଳମ୍ବିତ ରାତିରେ ବିଜୟ ଘର ବାରଣ୍ଡାରେ ଶୋଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରାୟଗଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ସ୍ଥାନାନ୍ତର ସମୟରେ ମୃତ୍ୟୁ ଘଟିଥିବା କୁହାଯାଉଛି।
ସୂଚନା ଅନୁସାରେ, ସେହି ଗ୍ରାମରେ ଗତ ଏକ ସପ୍ତାହ ପୁର୍ବେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ୍ ସରବରାହ ବିଛିନ୍ନ ହୋଇଯାଇଥିଲା । ବିଭାଗର କର୍ମଚାରୀମାନେ ମରାମତି କରିବାକୁ ଆସି ଅଧାରେ କାମଛାଡି ଚାଲି ଯାଇଛନ୍ତି ଫଳରେ ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବେ ଅନ୍ଧାରରେ ରହିଛନ୍ତି । ଏଭଳି ସ୍ଥଳେ ପ୍ରବଳ ଗୁଳୁଗୁଳି କାରଣରୁ ରାତିରେ ବାରଣ୍ଡାରେ ଶୋଇବାକୁ ବାଧ୍ୟ ହେଉଛନ୍ତି ସ୍ଥାନୀୟ ଲୋକେ । କିନ୍ତୁ ବୁଧବାର ରାତିରେ କୌଣସି ବିଷାକ୍ତ ସାପ କାମୁଡ଼ିଥିବାରୁ ସେ ଅସୁସ୍ଥ ହୋଇପଡିଥିଲେ । ପରେ ପରିବାର ଲୋକେ ଚିକିତ୍ସା ପାଇଁ ନେଇଯାଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।










