ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଅନଲାଇନ୍ ଗେମିଂକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର ୩ ଲକ୍ଷ ଟଙ୍କାର ଋଣ ବିବାଦକୁ ନେଇ ଜଣେ ୧୯ ବର୍ଷୀୟ ଯୁବକ ତାଙ୍କ ସହଯୋଗୀଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ମେ’ ୭ ତାରିଖରେ ବେଟମା ପୋଲିସ ଷ୍ଟେସନ ଅଞ୍ଚଳରେ ୩୨ ବର୍ଷୀୟ ସମୀର ପଟେଲଙ୍କ ମୃତଦେହ ମିଳିଥିଲା। ଏହି ଘଟଣାରେ ପୋଲିସ ରାମଜାନ ପଟେଲ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଏସପି ରାଜେନ୍ଦ୍ର କୁମାର ବର୍ମାଙ୍କ ଅନୁଯାୟୀ, ପ୍ରାଥମିକ ଜେରା ସମୟରେ ଅଭିଯୁକ୍ତ ରାମଜାନ ନିଜର ଅପରାଧ ସ୍ୱୀକାର କରିଛି।ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ସମୀର ଓ ରାମଜାନ ଉଭୟ ଅନଲାଇନ୍ ଗେମିଂରେ ସକ୍ରିୟ ଥିଲେ ଏବଂ ଏଥିରେ ଟଙ୍କା ହାରିବା ଜିତିବାକୁ ନେଇ ଦୁହିଁଙ୍କ ମଧ୍ୟରେ ଟଙ୍କା କାରବାର ରହିଥିଲା। ରାମଜାନ ଅନଲାଇନ୍ ଗେମିଂରେ ପ୍ରାୟ ୧୦ ଲକ୍ଷ ଟଙ୍କା ସମୀରଙ୍କ ପାଖରୁ ହାରିଥିଲେ, ଯେଉଁଥିରୁ ସେ ୭ ଲକ୍ଷ ଟଙ୍କା ପରିଶୋଧ କରିସାରିଥିଲେ। ବାକି ୩ ଲକ୍ଷ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଗୁରୁତର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଉତକ୍ଷିପ୍ତ ହୋଇ ରାମଜାନ ଏକ ପଥରରେ ସମୀରଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ପୋଲିସ ଏବେ ଉଭୟଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରୁଛି, ଯାହାଦ୍ୱାରା ସେମାନେ କେତେ ଦିନରୁ ଏହି ଗେମିଂରେ ସଂପୃକ୍ତ ଥିଲେ ଏବଂ ଏଥିରେ ଅନ୍ୟ କାହାର ହାତ ଅଛି କି ନାହିଁ ତାହା ଜଣାପଡ଼ିବ।










